Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଦିନେ ଅଟୋ ରିକ୍ସା ଚଳାଉଥିଲେ ସିନ୍ଦେ! ଜାଣନ୍ତୁ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ଏକନାଥଙ୍କ ସମ୍ପର୍କରେ ସବୁକିଛି

30/06/2022 at 7:03 PM

ମୁମ୍ବାଇ ୩୦।୬: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।  ମହାରାଷ୍ଟ୍ର ରାଜନୀତିରେ ଉଠିଥିବା ଝଡର କେନ୍ଦ୍ର ଥିବା ଏକନାଥ ସିନ୍ଦେ ଏବେ ଶିବସେନା ଇତିହାସରେ ସବୁଠୁ ବଡ ବିଦ୍ରୋହର ଚେହେରା ପାଲଟିଛନ୍ତି। ତେବେ କିଏ ଏହି ଏକନାଥ ସିନ୍ଦେ, ଯିଏ ଶିବସେନାରେ ଠାକରେଙ୍କ ପରିବାରକୁ ଚାଲେଞ୍ଜ କରିଛନ୍ତି? ଆସନ୍ତୁ ଜାଣିବା

ଏକ ନାଥ ସିନ୍ଦେଙ୍କ ଜନ୍ମ ୯ ଫେବୃଆରୀ ୧୯୬୪ରେ ହୋଇଥିଲା। ସତାରା ତାଙ୍କର ଗୃହ ଜିଲ୍ଲା ହୋଇଥିବା ବେଳେ ପାଠ ପଢିବା ଲାଗି ଠାଣେ ଆସିଥିଲେ। ସେ ଏକାଦଶ ପର୍ଯ୍ୟନ୍ତ ପାଠ ପଢିପାରିଥିଲେ। ଏହା ପରେ ୱାଗଲେ ଇଷ୍ଟେଟ୍‌ ଅଞ୍ଚଳରେ ରହି ଅଟୋ ରିକ୍ସା ଚଳାଉଥିଲେ। ଏହି ସମୟରେ ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ମାତ୍ର ୧୮ ବର୍ଷର ହୋଇଥିବା ବେଳେ ତାଙ୍କ ରାଜନୈତିକ ଜୀବନର ଶୁଭାରମ୍ଭ ହୋଇଥିଲା। ଜଣେ ସାଧାରଣ ଶିବସେନା କର୍ମୀ ଭାବେ ସେ କାମ କରିବାରେ ଲାଗିଥିଲେ।

ପ୍ରାୟ ଦେଢ ଦଶକ ପର୍ଯ୍ୟନ୍ତ ଶିବସେନା କର୍ମୀ ରହିବା ପରେ ୧୯୯୭ରେ ସିନ୍ଦେ ନିର୍ବାଚନ ରାଜନୀତିରେ ପାଦ ଥାପିଥିଲେ। ୧୯୯୭ ଠାଣେ ନଗରନିଗମ ନିର୍ବାଚନରେ ଆନନ୍ଦ ଦିଘେ ସିନ୍ଦେଙ୍କୁ କାଉନସିଲର ପ୍ରତିଦ୍ୱନ୍ଦୀତା ଲାଗି ପାର୍ଟି ଟିକେଟ୍ ଦେଇଥିଲେ। ପ୍ରଥମ ନିର୍ବାଚନ ଜିତିବାରେ ସିନ୍ଦେ ସଫଳ ହୋଇଥିଲେ। ୨୦୦୧ରେ ସେ ନଗରନିଗମରେ ବିରୋଧୀ ଦଳ ନେତା ହୋଇଥିଲେ। ଦ୍ୱିତୀୟବାର ୨୦୦୨ରେ ହୋଇଥିବା ନଗରନିଗମ ନିର୍ବାଚନରେ ସେ ପୁଣି ଥରେ କର୍ପୋରେଟର ନିର୍ବାଚିତ ହୋଇଥିଲେ।

୨୦୦୧ରେ ଆନନ୍ଦ ଦିଘେଙ୍କ ମୃତ୍ୟୁ ତାଙ୍କ ରାଜନୈତିକ ଯାତ୍ରାକୁ ସୁଗମ କରିଥିଲା। ରାଜନୈତିକ ଗୁରୁଙ୍କ ପରଲୋକରେ ତାଙ୍କ ଦାୟିତ୍ୱ ସମ୍ଭାଳିବାରେ ଲାଗିଥିଲେ ସିନ୍ଦେ। ଠାଣେ ରାଜନୀତିରେ ତାଙ୍କର ଚେର ମଜଭୁତ ହେବାରେ ଲାଗିଥିଲା। ୨୦୦୫ରେ ନାରାୟଣ ରାଣେ ପାର୍ଟି ଛାଡିବା ଦଳରେ ସିନ୍ଦେ ଜଣେ ଟାଣୁଆ ନେତାରେ ପରିଣତ ହୋଇଥିଲେ। ଏଥିରେ ଯେବେ ରାଜ ଠାକରେ ପାର୍ଟି ଛାଡିଲେ ସିନ୍ଦେ ଠାକରେ ପରିବାରଙ୍କ ନିକଟତମ ହୋଇଯାଇଥିଲେ।

୨୦୦୪ରେ ପ୍ରଥମ ଥର ହେଲେ ବିଧାୟକ
ଶିବସେନା ୨୦୦୪ ବିଧାନସଭା ନିର୍ବାଚନରେ ସିନ୍ଦେଙ୍କୁ ଠାଣେ ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା। ଏଥିରେ ମଧ୍ୟ ବିଜେତା ହୋଇଥିଲେ ସିନ୍ଦେ। ସେତେବେଳେ କଂଗ୍ରେସର ମନୋଜ ସିନ୍ଦେଙ୍କୁ ସେ ୩୭ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ଏହା ପରେ ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ସିନ୍ଦେ ଠାଣେ ଜିଲ୍ଲା କୋପରୀ ପଛପାଖଡି ସିଟରୁ ଲଗାତାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଦେବେନ୍ଦ୍ର ଫଡନବୀଶଙ୍କ ଗତ ସରକାରରେ ସିନ୍ଦେ ରାଜ୍ୟ ନିର୍ମାଣ ମନ୍ତ୍ରୀ ଥିଲେ।  

ଲାଗିଥିଲା ଭାବି ମୁଖ୍ୟମନ୍ତ୍ରୀ ପୋଷ୍ଟର
୨୦୧୯ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ସିନ୍ଦେଙ୍କ ନାମ ସବୁଠୁ ଆଗରେ ଥିଲା। ନିର୍ବାଚନ ପରେ ବିଧାୟକ ଦଳ ବୈଠକରେ ନିଜେ ଆଦିତ୍ୟ ଠାକରେ ସିନ୍ଦେଙ୍କ ନାମ ପ୍ରସ୍ତାବ କରିଥିବା ବେଳେ ସେ ବିଧାୟକ ଦଳ ନେତା ମନୋନୀତ ହୋଇଥିଲେ। ଏହା ପରେ ଠାଣେରେ ତାଙ୍କ ସମର୍ଥକମାନେ ତାଙ୍କୁ ରାଜ୍ୟର ଭାବି ମୁଖ୍ୟମନ୍ତ୍ରୀ କହି ବଡ଼ବଡ଼ ବ୍ୟାନର ଲଗାଇଥିଲେ। ତେବେ କଂଗ୍ରେସ ଓ ଏନସିପି ସହ ମେଣ୍ଟରେ ଉଦ୍ଧବ ଠାକରେଙ୍କ ନାମ ଆଗକୁ ଆସିଥିଲା। ଏହା ସହ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସରେ ପଛେଇ ଯାଇଥିଲେ। ଉଦ୍ଧବ ସରକାର ସିନ୍ଦେଙ୍କୁ ରାଜ୍ୟ ନଗର ବିକାଶ ମନ୍ତ୍ରୀ ସହିତ ଠାଣେ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ନିଯୁକ୍ତ କରିଥିଲେ।

କଂଗ୍ରେସ ଏନସିପି ମେଣ୍ଟରେ ଖୁସି ନଥିଲେ ସିନ୍ଦେ
କୁହାଯାଉଛି ସିନ୍ଦେ କଂଗ୍ରେସ ଓ ଏନସିପି ସହିତ ଶିବସେନା ମଣ୍ଟରେ ଖୁସି ନଥିଲେ। ଏହା ପରଠାରୁ ଉଦ୍ଧବ ଓ ତାଙ୍କ ମଧ୍ୟରେ ପାର୍ଥକ୍ୟ ବଢିବାରେ ଲାଗିଥିଲା ଓ ସିନ୍ଦେ ଉଦ୍ଧବଙ୍କଠାରୁ ଦୂରେଇବାରେ ଲାଗିଥିଲେ। ଗତ ଫେବୃଆରୀରେ ସିନ୍ଦେଙ୍କ ଜନ୍ମଦିନରେ ମଧ୍ୟ ତାଙ୍କ ସମର୍ଥକମାନେ ଭାବିମୁଖ୍ୟମନ୍ତ୍ରୀ ପୋଷ୍ଟର ଲଗାଇଥିଲେ।

୧୧ କୋଟି ଟଙ୍କାର ସମ୍ପତ୍ତି, ଚାଲିଛି ୧୮ଟି ମୋକଦ୍ଦମା
ଗତ ୨୦୧୯ ବିଧାନସଭା ନିର୍ବାଚନରେ ଏକନାଥ ସିନ୍ଦେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେହି ଅନୁସାରେ ସିନ୍ଦେଙ୍କ ବିରୋଧରେ ମୋଟ ୧୮ଟି ଅପରାଧିକ ମାମଲା ରୁଜୁ ହୋଇଛି। ଏଥିରେ ବିସ୍ଫୋରକ ଦ୍ୱାରା କ୍ଷତି କରିବା, ବେଆଇନ ଭାବେ ଏକତ୍ରିତ ହୋଇଥିବା ଲୋକଙ୍କ ମଧ୍ୟରେ ରହିବା, ସରକାରୀ କର୍ମଚାରୀଙ୍କ ଆଦେଶକୁ ଅମାନ୍ୟ କରିବା ଆଦି ଅଭିଯୋଗ ରହିଛି। ସତ୍ୟପାଠ ଅନୁସାରେ ସିନ୍ଦେଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧କୋଟି ୫୬ ଲକ୍ଷରୁ ଅଧିକ ପରିମାଣରେ ସମ୍ପତ୍ତି ରହିଛି। ଏଥିରୁ ୨.୧୦ କୋଟି ଟଙ୍କାର ଚଳତ ସମ୍ପତ୍ତି ଥିବା ବେଳେ ୯.୪୫ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।

କଣ୍ଟ୍ରାକ୍ଟର ସିନ୍ଦେ
ନିର୍ବାଚନ ସତ୍ୟପାଠରେ ନିଜକୁ ଜଣେ ଠିକାଦାର ଓ ବ୍ୟବସାୟୀ ଭାବେ ଦର୍ଶାଇଛନ୍ତି ସିନ୍ଦେ। ତାଙ୍କ ପତ୍ନୀ ମଧ୍ୟ କନଷ୍ଟ୍ରକ୍ସନ କାମ କରନ୍ତି। ବିଧାୟକ ଭାବେ ପାଉଥିବା ବେତନ, ଘର ଭଡାରୁ ମିଳୁଥିବା ଆୟ ଓ ବ୍ୟାଙ୍କ ସୁଧ ତାଙ୍କ ମୂଳ ଆୟର ଉତ୍ସ ଭାବେ ଦର୍ଶାଇଛନ୍ତି ସିନ୍ଦେ।  

   Related Posts