ବିଧ୍ୱଂସକ INS ମାର୍ମୁଗାଓର ଜାଣନ୍ତୁ ଖାସ୍ ୭ଟି କଥା

Published By : Prameya-News7 Bureau | December 18, 2022 IST

ମୁମ୍ବାଇ ୧୮।୧୨: କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ରବିବାର ଭାରତୀୟ ନୌସେନା ସ୍କ୍ୱାଡ୍ରନରେ ସାମିଲ ହୋଇଛି ୧୫ତମ ବିଧ୍ୱଂସକ ଆଇଏନଏସ ମାର୍ମୁଗାଓ। ମୁମ୍ବାଇରେ ଅନୁଷ୍ଠିତ ନିସାନ ସମାରୋହରେ ଯୁଦ୍ଧତରୀକୁ ନୌସେନାରେ ସାମିଲ କରାଯାଇଛି। ଏହି ଯୁଦ୍ଧପୋତ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଭାରତରେ ନିର୍ମିତ ସବୁଠୁ ଶକ୍ତିଶାଳୀ ଯୁଦ୍ଧପୋତ ମଧ୍ୟରେ ଏହା ଅନ୍ୟତମ ଓ ସମୁଦ୍ରରେ ଭାରତର ଶକ୍ତିକୁ ବୃଦ୍ଧି କରିବ।

ଏହି ଯୁଦ୍ଧପୋତକୁ ଭାରତୀୟ ନେଭିର ପ୍ରୋଜେକ୍ଟ ୧୫-ବି ଅନୁସାରେ ନିର୍ମାଣ କରାଯାଇଛି। ଏହି ପ୍ରୋଜେକ୍ଟ ଅକ୍ଟୋବର ୨୦୧୩ରେ ହାତକୁ ନିଆଯାଇଥିବା ବେଳେ ଏଥିରେ ଆଇଏନଏସ ବିଶାଖାପାଟଣା, ମାର୍ମୁଗାଓ, ଇମ୍ଫାଲ ଓ ସୁରଟ ନାମରେ ୪ଟି ବିଧ୍ୱଂସକ ନିର୍ମାଣ କରାଯାଇଛି। ଡିଜାଇନ ବ୍ୟୁରୋ ଯେଉଁ ୪ଟି ବିଶାଖାପାଟଣା କ୍ଲାସ୍ ବିଧ୍ୱଂସକ ଯୁଦ୍ଧପୋତ ଡିଜାଇନ କରିଛନ୍ତି ଏଥିରେ ଆଇଏନଏସ ମାର୍ମୁଗାଓ ଦ୍ୱିତୀୟ । ଏହି ଶ୍ରେଣୀର ପ୍ରଥମ ଯୁଦ୍ଧପୋତ ଆଇଏନଏସ୍ ବିଶାଖାପାଟଣା ୨୧ ନଭେମ୍ବର ୨୦୨୧ରେ ଭାରତୀୟ ନୌସେନାର ସାମିଲ ହୋଇଥିଲା।

{"id":722609,"width":840,"height":473,"sizeSlug":"full","linkDestination":"none"}

ଆଇଏନଏସ୍ ମାର୍ମୁଗାଓ ଯୁଦ୍ଧପୋତର ନିର୍ମାଣ ୨୦୧୬ରେ ଆରମ୍ଭ ହୋଇଥିଲା ଓ ସମୁଦ୍ରରେ ଏହାର ପରୀକ୍ଷଣ ୧୯ ଡିସେମ୍ବର ୨୦୨୧ରେ ହୋଇଥିଲା। ଏହି ଯୁଦ୍ଧପୋତରେ ଅତ୍ୟାଧୁନିକ ସେନସର ଲଗାଯାଇଛି ଯାହା ଶତ୍ରୁ ଆକ୍ରମଣର ପୂର୍ବାଭାସ ପାଇପାରେ। ପ୍ରତିରକ୍ଷାମନ୍ତ୍ରୀଙ୍କ ଅନୁସାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହା ବିଶ୍ୱର ପ୍ରଥମ ଅତ୍ୟାଧୁନିକ ଯୁଦ୍ଧପୋତ। ଏହି ଯୁଦ୍ଧପୋତକୁ ଭୂ-ପୃଷ୍ଠରୁ ଆକାଶକୁ ମଧ୍ୟମ ଦୂରତାରେ ଉତ୍‌କ୍ଷେପଣ କରି ହେଉଥିବା କ୍ଷେପଣାସ୍ତ୍ର ସମେତ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ କରି ହେଉଥିବା କ୍ଷେପଣାସ୍ତ୍ର ବ୍ରହ୍ମୋସରେ ସଜ୍ଜିତ କରାଯାଇଛି।

ସେହିପରି ସମୁଦ୍ର ତଳେ ଶତ୍ରୁର ବୁଡା ଜାହାଜକୁ ନଷ୍ଟ କରିବା ପାଇଁ ଏଥିରେ ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଟାରପିଡୋ ଟ୍ୟୁବ୍ ଲଞ୍ଚର ଓ ରକେଟ୍ ଲଞ୍ଚର ମଧ୍ୟ ଲାଗିଛି। ନେଭି ଅନୁସାରେ ଏହି ଯୁଦ୍ଧପୋତ ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧପରିସ୍ଥିତିରେ ଶତ୍ରୁର ମୁକାବିଲା ଲାଗି ସମ୍ପୂ୍ର୍ଣ୍ଣ ପ୍ରସ୍ତୁତ। ଏଥିରେ ଅତ୍ୟାଧୁନିକ ସର୍ଭିଲାନ୍ସ ରାଡାର ମଧ୍ୟ ରହିଛି। ଯାହା ଶତ୍ରୁ ଆକ୍ରମଣର ସଠିକ ଆକଳନ କରିବାକୁ ସକ୍ଷମ। ଏଥିରେ ୪ଟି ଶକ୍ତିଶାଳୀ ଟର୍ବାଇନ ଲାଗିଛି। ଏଣୁ ସମୁଦ୍ରରେ ଏହା ଘଣ୍ଟାପ୍ରତି ସର୍ବାଧିକ ୫୫ କିଲୋମିଟର ବେଗରେ ଗତିକରିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.