Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ. ଆଫ୍ରିକା ଗସ୍ତରେ କେଏଲ ରାହୁଲ ହେବେ ଟେଷ୍ଟ ଦଳର ଉପ ଅଧିନାୟକ, ନେବେ ରୋହିତଙ୍କ ଜାଗା

18/12/2021 at 4:02 PM

ନୂଆଦିଲ୍ଲୀ ୧୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ଉପ ଅଧିନାୟକ ରୋହିତ ଶର୍ମା ବାଦ୍ ପଡିବା ଭାରତକୁ ଝଟକା ଲାଗିଥିଲା। ରୋହିତଙ୍କୁ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଉପ ଅଧିନାୟକ କରାଯାଇଥିଲା। ତେବେ ଆହତଜନିତ ସମସ୍ୟା କାରଣରୁ ଦଳରୁ  ବାଦ୍ ପଡିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ କେଏଲ ରାହୁଲଙ୍କୁ ଉପ ଅଧିନାୟକ କରାଯାଇଛି।

ଏବେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲଙ୍କ ସହିତ ମୟଙ୍କ ଅଗ୍ରଓ୍ଵାଲ ଦଳର ଓପନିଂ ଭାର ସମ୍ଭାଳି ପାରନ୍ତି। ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯିବ। ରୋହିତଙ୍କ ବଦଳରେ ପ୍ରିୟଙ୍କ ପାଞ୍ଚାଲଙ୍କୁ ଦଳରେ ସୁଯୋଗ ମିଳିଛି। ନିକଟରେ ରୋହିତ ଶର୍ମାଙ୍କୁ ମଧ୍ୟ କ୍ରମ ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଟେଷ୍ଟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ସେହି ପରି ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ ଅଧିନାୟକ କରାଯାଇଛି। ଅନ୍ୟପଟେ କେଏଲ ରାହୁଲଙ୍କୁ ଦିନିକିଆ ଓ ଟି-୨୦ ଦଳର ଉପ ଅଧିନାୟକ କରାଯାଇଛି। ଏପରି ଯଦି ରୋହିତ ଶର୍ମା ଫିଟ୍ ନହୁଅନ୍ତି ତେବେ ଦିନିକିଆରେ କେଏଲ ରାହୁଲଙ୍କୁ ଅଧିନାୟକ ଭାବେ ଦେଖିବାକୁ ପାଇ ପାରନ୍ତି।

ହାର୍ମଷ୍ଟ୍ରିଙ୍ଗ କାରଣରୁ ରୋହିତ ଶର୍ମା ୩ ସପ୍ତାହ ପଡିଆରୁ ବାହାରେ ରହିବେ। ବର୍ତ୍ତମାନ ରୋହିତ ଶର୍ମା ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ନିଜର ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କେଏଲ ରାହୁଲ ୨୦୧୮ରେ ମଧ୍ୟ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ମାତ୍ର ସେ ସେହି ସମୟରେ ଟେଷ୍ଟ ସିରିଜ୍‌ରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ସେ ୨ଟି ଟେଷ୍ଟର ୪ଟି ଇନିଂସରେ ୭.୫୦ ହାରରେ ମାତ୍ର ୩୦ ରନ କରିଥିଲେ। ରୋହିତଙ୍କ ଅନୁପସ୍ଥିତିରେ ଦଳର ବଡ ଦାୟିତ୍ଵ ସମ୍ଭାଳିବା ସହିତ କେଏଲ ରାହୁଲଙ୍କ ନିକଟରେ ଦକ୍ଷିଣ ଆଫ୍ରିକାରେ ନିଜର ରେକର୍ଡ ସୁଧରେଇବାର ସୁଯୋଗ ରହିବ।

   Related Posts