ବାଂଲାଦେଶ ବିପକ୍ଷ ସିରିଜରେ ଟେଷ୍ଟ ଦଳର ଅଧିନାୟକ ହେବେ କେଏଲ ରାହୁଲ, ରୋହିତ ଶର୍ମା ବାଦ୍

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡିଛନ୍ତି। ବିସିସିଆଇ ରବିବାର ସନ୍ଧ୍ୟାରେ ରୋହିତ ଶର୍ମାଙ୍କ ଆହତ ବିଷୟରେ ସୂଚନା ଦେଇ କହିଛି ଯେ, ବର୍ତ୍ତମାନ ଭାରତୀୟ ଅଧିନାୟକଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତର ଚିକିତ୍ସା ଜାରି ରହିଛି। ତାଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଅଧିନାୟକ ଦାୟିତ୍ଵ କେଏଲ ରାହୁଲ ସମ୍ଭାଳିବେ।

ବିସିସିଆଇ ଡିସେମ୍ବର ୧୪ରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟରେ ରୋହିତଙ୍କ ସ୍ଥାନର ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳରେ ସାମିଲ୍ କରିଛି। ରୋହିତ ବାଦ୍ ପଡିବା ପରେ କେଏଲ ରାହୁଲଙ୍କୁ ପ୍ରଥମ ଟେଷ୍ଟରେ ଅଧିନାୟକ କରାଯାଇଛି। ଚୟନ କମିଟି ଚେତେଶ୍ଵର ପୂଜାରାଙ୍କୁ ଉପ ଅଧିନାୟକ କରାଯାଇଛି। ସିରିଜ୍‌ର ଦ୍ଵିତୀୟ ତଥା ଅନ୍ତିମ ଟେଷ୍ଟ ପାଇଁ ରୋହିତ ଖେଳିବେ କି ନାହିଁ ତାହା ବିସିସିଆଇର ଡାକ୍ତରୀ ଦଳ ନିଷ୍ପତ୍ତି ନେବେ।

ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡେଜା ଟେଷ୍ଟ ସିରିଜ୍‌ରୁ ବାଦ୍ ପଡି ସାରିଛନ୍ତି। ତାଙ୍କ ସ୍ଥାନରେ ନବଦୀପ ସାଇନି ଏବଂ ସୌରଭ କୁମାରଙ୍କୁ ଦଳରେ ସାମିଲ୍ କରାଯାଇଛି। ହେଲେ ସୌରଭଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ବହୁତ ମୁସ୍କିଲ। କାରଣ ଅକ୍ଷର ପଟେଲ୍‌ ପ୍ରଥମ ଟେଷ୍ଟ ଦଳରେ ସାମିଲ୍। ଚୟନ କମିଟି ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ ବି ଟେଷ୍ଟ ସିରିଜ୍‌ ପାଇଁ ଦଳରେ ସାମିଲ୍ କରିଛନ୍ତି। ଦିନିକିଆ ସିରିଜ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଦୀପକ ଚହର ଏବଂ କୁଲଦୀପ ସେନ ମଧ୍ୟ ଆହତଜନିତ ସମସ୍ୟା କାରଣରୁ ଶେଷ ମ୍ୟାଚ୍‌ରୁ ବାଦ୍ ପଡିଛନ୍ତି।

ବାଂଲାଦେଶ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ

କେଏଲ ରାହୁଲ(ଅଧିନାୟକ), ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା(ଉପ ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ(ଓ୍ଵିକେଟ୍ କିପର), କେଏସ ଭରତ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ଵରନ, ନବଦୀପ ସାଇନି, ସୌରଭ କୁମାର, ଜୟଦେବ ଉନାଦକତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.