ଇଂଲଣ୍ଡ ଗସ୍ତରୁ ବାଦ୍ ପଡିବେ କେଏଲ ରାହୁଲ ! ଏନସିଏରେ ଫିଟନେସ୍ ପାଇଁ କରୁଛନ୍ତି ସଙ୍ଘର୍ଷ

Published By : Prameya-News7 Bureau | June 16, 2022 IST

ନୂଆଦିଲ୍ଲୀ ୧୬/୦୬:  ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆସନ୍ତା ମାସ ୧ରୁ ୫ତାରିଖ ମଧ୍ୟରେ ଖେଳାଯିବ ଏକମାତ୍ର ଟେଷ୍ଟ । ଏଥିପାଇଁ ଭାରତୀୟ ଟେଷ୍ଟ ଦଳର ସଦସ୍ୟମାନେ ଇତି ମଧ୍ୟରେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି । ଖୁବ୍‌ ଶୀଘ୍ର ଦଳ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । କେବଳ ରିଷଭ ପନ୍ତ, ଶ୍ରେୟାସ ଆୟର ଓ ଲୋକେଶ ରାହୁଲ ଦଳ ସହ ଯୋଗ ଦେଇ ନାହାନ୍ତି । ପନ୍ତ ଓ ଆୟର ସମ୍ପ୍ରତି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଖେଳୁଛନ୍ତି । ଆହତ ରାହୁଲ ଏନ୍‌ସିଏରେ ଫିଟ୍‌ନେସ୍‌ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟ ଦଳକୁ ରାହୁଲ ଫେରିବା ନେଇ ଆଶଙ୍କା ଦେଖା ଦେଇଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟି-ଟ୍ୱେଣ୍ଟି ସିରିଜ ପାଇଁ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । ପ୍ରଥମ ମ୍ୟାଚ୍‌ ପୂର୍ବରୁ ସେ ଆହତ ହୋଇଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ଫିଟ୍‌ ହେବା ସମ୍ଭାବନା ନାହିଁ । ତେଣୁ ଉକ୍ତ ଟେଷ୍ଟରେ ରାହୁଲ ଖେଳିପାରିବେ ନାହିଁ । ଅବଶ୍ୟ ଇଂଲଣ୍ଡ ଗସ୍ତ ପୂର୍ବରୁ ରାହୁଲଙ୍କୁ ଏକ ଫିଟ୍‌ନେସ୍‌ ପରୀକ୍ଷାର ସାମ୍ନା କରିବାକୁ ପଡ଼ିବ । ଏଥିରେ ଉତ୍ତୀର୍ଣ୍ଣ ହେଲେ ସେ ଇଂଲଣ୍ଡ ଗସ୍ତ କରିପାରିବେ ।

ରାହୁଲଙ୍କ ସ୍ଥାନରେ ବିସିସିଆଇ ଅନ୍ୟ କୌଣସି ଖେଳାଳିଙ୍କୁ ମଧ୍ୟ ଇଂଲଣ୍ଡ ପଠାଇବ ନାହିଁ । ରୋହିତ ଶର୍ମା ଓ ଶୁଭମନ ଗିଲ୍‌ ଓପନର ଭାବେ ଦଳରେ ରହିଛନ୍ତି । ଭାରତ ଗତ ବର୍ଷ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତ କରିଥିଲା । ୪ଟି ଟେଷ୍ଟ ଖେଳ ଶେଷ ହୋଇଥିବାବେଳେ ଭାରତ ୨-୧ରେ ଆଗୁଆ ରହିଛି । ଅନ୍ତିମ ଟେଷ୍ଟ ପୂର୍ବରୁ ଭାରତୀୟ ଶିବରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଯାଇଥିଲା । ବର୍ତ୍ତମାନ ଉକ୍ତ ଟେଷ୍ଟକୁ ଆୟୋଜନ କରାଯିବ । ଆସନ୍ତା କାଲି ଭାରତୀୟ ଦଳ ଇଂଲଣ୍ଡ ଯାତ୍ରା କରିବ । ଟି-ଟ୍ୱେଣ୍ଟି ସିରିଜ ଶେଷ ହେବା ପରେ କୋଚ୍‌ ରାହୁଲ ଦ୍ରବିଡ୍‌ଙ୍କ ସହ ଆୟର ଓ ପନ୍ତ ଇଂଲଣ୍ଡ ଗସ୍ତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.