ଧର୍ମଶାଳା, ୨୮/୨: ଧର୍ମଶାଳା ଟେଷ୍ଟରୁ ବାଦ୍ କେ.ଏଲ ରାହୁଲ ! ଆହତ କାରଣରୁ ସେ ପଞ୍ଚମ ଟେଷ୍ଟ ଖେଳି ନପାରନ୍ତି । ଏକ ପର୍ଯ୍ୟନ୍ତ ଫିଟ୍ ହୋଇନଥିବାରୁ ଇଂଲଣ୍ଡ ବିରୋଧରେ ଅନ୍ତିମ ଟେଷ୍ଟ ଖେଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ । ଧର୍ମଶାଳା ଟେଷ୍ଟରେ ପାଡିକଲ ପଦାର୍ପଣ କରିପାରନ୍ତି । ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟିକିଆ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ଏଥିରେ ଟିମ୍ ଇଣ୍ଡିଆ ୩-୧ରେ ଆଗରେ ରହିଛି । ହାଇଦ୍ରାବାଦରେ ଟେଷ୍ଟରେ ବ୍ରିଟିଶ୍ ବହିନୀ ବିଜୟ ଲାଭ କରିଥିବା ବେଳେ ବାକି ତିନୋଟି ମ୍ୟାଚରେ ଭାରତୀୟ ଦଳ ଆଧିପତ୍ୟ ଜାହିର କରିଛି । ଅନ୍ତିମ ମ୍ୟାଚ୍ ପୂର୍ବରୁ ରୋହିତ୍ ବାହିନୀ ସିରିଜ୍ କବଜା କରିଛି ।
ଆସନ୍ତା ମାସ ୭ ତାରିଖରୁ ଧର୍ମଶାଳାରେ ପଞ୍ଚମ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚରୁ ବାଦ୍ ପଡ଼ିପାରନ୍ତି କେ.ଏଲ୍ ରାହୁଲ । ସେ ଏପର୍ଯ୍ୟନ୍ତ ଫିଟ୍ ହୋଇନଥିବାରୁ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିସିସିଆଇ ରାହୁଲଙ୍କ ଆହତ ସମସ୍ୟା ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ଗୋପନ ରଖିଛି । ହାଇଦ୍ରାବାଦ ଟେଷ୍ଟରେ ରାହୁଲ ଆହତ ହୋଇଥିଲେ । ତାଙ୍କ ଡାହାଣ ଜଙ୍ଘ ସମ୍ମୁଖଭାଗ ମାଂସପେଶୀରେ ଆଘାତ ଲାଗିଥିଲା । ତୃତୀୟ ଟେଷ୍ଟ ବେଳକୁ ସେ ଫିଟ୍ ହୋଇଯିବେ ବୋଲି ଆଶା କରାଯାଉଥିଲା । ଶେଷ ୩ଟି ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବା ସମୟରେ ରାହୁଲ ୯୦ ପ୍ରତିଶତ ଫିଟ୍ ହୋଇ ସାରିଥିବା ମଧ୍ୟ ବିସିସିଆଇ ସ୍ପଷ୍ଟ କରିଥିଲା । ମାତ୍ର ଏହାପରଠୁ ତାଙ୍କ ବିଷୟରେ କୌଣସି ତଥ୍ୟ ପ୍ରକାଶ କରାଯାଉ ନାହିଁ । ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ରାହୁଲ ଫିଟ୍ନେସ୍ ଉପରେ ନଜର ରଖାଯାଇଛି ।
wp:embed {"url":"https://www.prameyanews7.com/up-warriorz-beat-mumbai-indians-by-7-wkts/","type":"wp-embed","providerNameSlug":"prameya-news-7"}ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ନିକଟରେ ଲଣ୍ଡନ ଯାତ୍ରା କରି ସ୍ପେଶାଲିଷ୍ଟଙ୍କ ନିକଟରେ ଆହତ ସମସ୍ୟା ଜନିତ ରିପୋର୍ଟ ଦେଖାଇଛନ୍ତି । ତେଣୁ ଏତେ ଶୀଘ୍ର ସେ କ୍ରିକେଟ୍ ମଇଦାନକୁ ଫେରିବା ସମ୍ଭାବନା ନାହିଁ । ରାହୁଲ ଗତ ବର୍ଷ ଆଇପିଏଲ୍ ସମୟରେ ଆହତ ହୋଇଥିଲେ । ଡାହାଣ ଜଙ୍ଘର ଉକ୍ତ ମାଂସପେଶୀରେ ଆଘାତ ଲାଗିଥିଲା ଓ ସେ ଉକ୍ତ ସ୍ଥାନରେ ଅସ୍ତ୍ରୋପଚାର କରିଥିଲେ । ସେହିପରି ଚତୁର୍ଥ ଟେଷ୍ଟରୁ ବିଶ୍ରାମ ନେଇଥିବା ପେସ୍ ବୋଲର ଯଶପ୍ରୀତ ବୁମରା ପଞ୍ଚମ ଟେଷ୍ଟ ପୂର୍ବରୁ ଦଳକୁ ଫେରିବା ଏକ ପ୍ରକାର ନିଶ୍ଚିତ ରହିଛି । ମାତ୍ର ମ୍ୟାଚ୍ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଦେଖିବା ପରେ ବୁମରାଙ୍କ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ।
ସେପଟେ ଅନ୍ତିମ ଟେଷ୍ଟରେ ଦେବଦତ୍ତ ପାଡିକଲଙ୍କୁ ଟେଷ୍ଟ କ୍ୟାପ୍ ମିଳିପାରେ । ସେ ପଞ୍ଚିମ ଟେଷ୍ଟ ଖେଳିବା ନେଇ ଆଶା କରାଯାଉଛି । କେ.ଏଲ ରାହୁଲଙ୍କ ସ୍ଥାନରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ ।