୧୦୦ତମ ମ୍ୟାଚରେ ସେଞ୍ଜୁରୀ ମାରିଲେ ଲୋକେଶ ରାହୁଲ, ଲେଖିଲେ ନୂଆ ଇତିହାସ

Published By : Prameya-News7 Bureau | April 16, 2022 IST

ମୁମ୍ବାଇ ୧୬।୦୪: ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ ଲୋକେଶ ରାହୁଲ ନିଜର ୧୦୦ତମ ଆଇପିଏଲ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି। ୧୦୦ତମ ମ୍ୟାଚ୍‌ରେ ସେଞ୍ଚୁରୀ ମାରିଛନ୍ତି ଏହି ଷ୍ଟାର ବ୍ୟାଟସମ୍ୟାନ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦମଦାର ବ୍ୟାଟିଂ କରି ମୁମ୍ଵାଇ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଛନ୍ତି। ଅଧିନାୟକ ଲୋକେଶ ରାହୁଲ ଚମତ୍କାର ବ୍ୟାଟିଂ କରି ୫୬ ବଲରୁ ନିଜର ତୃତୀୟ ଆଇପିଏଲ ଶତକ ଅର୍ଜନ କରିଛନ୍ତି ଏବଂ ଚଳିତ ସିଜିନରେ ଏହା ତାଙ୍କର ପ୍ରଥମ ଶତକ।

ସେ ଏହି ସିଜିନରେ ଶତକ ହାସଲ କରିବାରେ ଦ୍ଵିତୀୟ ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଜୋସ ବଟଲର ଚଳିତ ଆଇପିଏଲରେ ପ୍ରଥମ ଶତକ ଅର୍ଜନ କରିଥିଲେ। ଆଜିର ମ୍ୟାଚ୍‌ରେ ମିଲ୍ସଙ୍କ ଓଭରର ପଞ୍ଚମ ବଲରେ ଚୌକା ଲଗାଇ ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦ୍ଵିତୀୟ ଶତକ ହାସଲ କରିଛନ୍ତି।

ଅଧିନାୟକ ଭାବେ କେଏଲ ରାହୁଲଙ୍କ ଏହା ଦ୍ଵିତୀୟ ଶତକ। ଅଧିନାୟକ ଭାବେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। ରାହୁଲଙ୍କ ଶତକୀୟ ଇନିଂସରେ ୯ ଚୌକା ଏବଂ ୫ ଛକା ସାମିଲ୍।

ରାହୁଲ ୧୦୦ତମ ମ୍ୟାଚ୍‌ରେ ଶତକ ହାସଲ କରିବାରେ ପ୍ରଥମ ଖେଳାଳି  ହେବାର ରେକର୍ଡ କରିଛନ୍ତି। ଏହା ପୂର୍ବରୁ ୧୦୦ ତମ ମ୍ୟାଚ୍‌ରେ ସର୍ବାଧିକ ରନ କରିବାର ରେକର୍ଡ ଫାଫ ଡୁପ୍ଲେସିସଙ୍କ ନାମରେ ରହିଥିଲା। ସେ କୋଲକାତା ବିପକ୍ଷରେ ୮୬ ରନ କରିଥିଲେ। ରାହୁଲ ନିଜର ୧୦୦ତମ ମ୍ୟାଚ୍‌ରେ ଅପରାଜିତ ୧୦୩ ରନର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ  କରିବାରେ ସଫଳ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.