ଦୁବାଇ,୧୦|୧୦: କୋଲକାତା ନାଇନ ରାଇଡର୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ କୋଲକାତା ୨ ରନରେ ବିଜୟ ହାସଲ କରିଛି । ଏହି ରୋମାଞ୍ଚକର ମ୍ୟାଚରେ ପଞ୍ଜାବ ବିଜୟୀ ହେବାକୁ କସରତ୍ କରିଥିଲେ ମଧ୍ୟ ପରାସ୍ତ ହୋଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ଆରମ୍ଭରୁ ଦୁଇଟି ଝଟକା ଲାଗିଥିଲା। ୧୨ ରନ ସ୍କୋରରେ ଗତ ମ୍ୟାଚ୍ର ହିରୋ ରାହୁଲ ତ୍ରିପାଠୀ(୪ ରନ) ମହମ୍ମଦ ସାମିଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ନୀତିଶ ରାଣା ଦୁର୍ଭାଗ୍ୟବଶତଃ ରନ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ଶୁଭମାନ ଗିଲ ଓ ଇଅନ ମୋର୍ଗାନ ତୃତୀୟ ଓ୍ଵିକେଟ୍ରେ ୪୯ ରନ ଯୋଡି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ୬୩ ରନ ସ୍କୋରରେ ମୋର୍ଗାନ ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୪ ରନ କରି ଆଉଟ୍ ହୋଇଥିଲେ।
ଏହି କ୍ରମରେ ଶୁଭମାନ ଗିଲ୍ ଆଇପିଏଲରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍ ଓ ଅଧିନାୟକ ଦିନେଶ କାର୍ତ୍ତିକ ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳର ଇନିଂସ ଆଗକୁ ବଢାଇଥିଲେ। ବିଶେଷ କରି କାର୍ତ୍ତିକ କ୍ରିଜକୁ ଆସିବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୨୨ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଆଇପିଏଲରେ କାର୍ତ୍ତିକଙ୍କ ଏହା ଦ୍ଵିତୀୟ ଦ୍ରୁତତମ ଏବଂ ଆଇପିଏଲରେ ୧୯ତମ ଅର୍ଦ୍ଧଶତକ। କାର୍ତ୍ତିକ ଓ ଗିଲ୍ ଚତୁର୍ଥ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡିଥିଲେ। ୧୪୫ ରନ ସ୍କୋରେ ଶୁଭମାନ ଗିଲ୍ ୪୭ ବଲରୁ ୫ ଚୌକା ସହ ୫୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଦିନେଶ କାର୍ତ୍ତିକଙ୍କ ଶେଷ ବଲରେ ରନ ଆଉଟ୍ ହୋଇଥିଲେ। ରସେଲ ନିଜର ଖରାପ ପ୍ରଦର୍ଶନ ଜାରି ରଖି ୩ ରନ କରି ପାଭିଲିୟନ ଫେରିଥିଲେ। କାର୍ତ୍ତିକ ୨୯ ବଲରୁ ୮ ଚୌକା ଓ ୨ ଛକା ସହ ୫୮ ରନର ଇନିଂସ ଖେଳି ଶେଷ ବଲରେ ରନ ଆଉଟ୍ ହୋଇଥିଲେ।। କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୬୪ ରନ କରିଛି। ପଞ୍ଜାବ ତରଫରୁ ଅକ୍ଷରଦୀପ ସିଂହ, ରବି ବିଶ୍ନୋଇ ଓ ମହମ୍ମଦ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
ତେବେ ୧୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବର ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ୱାଲ ଆକର୍ଷଣୀୟ ଆରମ୍ଭ କରିଥିଲେ । ଉଭୟ ପ୍ରଥମ ଓ୍ୱିକେଟ ଯୋଡିରେ ୧୧୫ ରନ୍ କରିଥିଲେ । ତେବେ ମୟଙ୍କ ଅଗ୍ରଓ୍ୱାଲ ୫୬ ରନ୍ କରି ଆଉଟ ହୋଇଥିଲେ । ଏହାପରେ ନିକୋଲାସ ପୁରନ ଆଉଟ୍ ହୋଇଥିଲେ । କେଏଲ ଆଉଟ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଗ୍ୱେଲ୍ ମାକ୍ସଓ୍ୱେଲ କ୍ରିଜରେ ଥିଲେ ମଧ୍ୟ ଦଳକୁ ବିଜୟୀ କରିପାରି ନଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ୍ ହରାଇ ୧୬୨ ରନରେ ଅଟକି ଯାଇଥିଲା ।
କେକେଆର ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୁନିଲ ନରିନ ୨ଟି ଓ୍ୱିକେଟ୍ ନେଇଥିଲେ ।