ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ କୋଲକାତା ଏବଂ ହାଇଦ୍ରାବାଦ, ନୂଆ ଋଣନୀତି ସହ ପଡିଆକୁ ଓହ୍ଲାଇବ କେକେଆର

Published By : Prameya-News7 Bureau | October 18, 2020 IST

ଆବୁଧାବି, ୧୮|୧୦: ଆଜି ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ରେ ମ୍ୟାଚ୍ କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ନିଜ ନିଜର ପୂର୍ବ ୨ଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲେ । ତେଣୁ ଆଜିର ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଉଭୟ ଦଳ ଆକ୍ସନକୁ ଓହ୍ଲାଇବେ। ମ୍ୟାଚ୍‌ ୩.୩୦ରୁ ଆରମ୍ଭ ହେବ ।

ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ ୭ ୱିକେଟ୍‌ରେ ସନ୍‌ରାଇଜର୍ସକୁ ପରାସ୍ତ କରିଥିଲା । ଦିନେଶ କାର୍ତ୍ତିକଙ୍କ ଅଧିନରେ ଦଳ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଓପନର ଶୁବମନ ଗିଲ୍‌ (ଅପରାଜିତ ୭୦) ଓ ନବନିଯୁକ୍ତ ଅଧିନାୟକ ଇୟନ ମୋର୍ଗାନ (ଅପରାଜିତ ୪୨) ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ ଦଳ ଦ୍ୱିତୀୟ ଭେଟରେ ବିଜୟ ଜାରି ରଖିବା ଲକ୍ଷ୍ୟରେ ରହିବ। ନାଇଟ୍‌ ରାଇଡର୍ସ ୮ମ୍ୟାଚ୍‌ରୁ ୪ ବିଜୟ ସହ ମୋଟ ୮ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ସବୁ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ୨ଟି ମ୍ୟାଚ୍‌ରେ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୮୨ରନ୍‌ରେ)ଠୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ (୮ ୱିକେଟ୍‌ରେ)ଠୁ ପରାଜିତ ହୋଇଥିଲା । ଉଭୟ ମ୍ୟାଚ୍‌ର ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ମୋର୍ଗାନଙ୍କ ଅଧିନରେ ଦଳ ମୁମ୍ବାଇଠୁ ଶୋଚନୀୟ ପରାଜୟବରଣ କରିଥିଲା । ଆଜି ମୋର୍ଗାନ ଦଳରେ ପରିବର୍ତ୍ତନ କରିବା ସହ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବେ । ସ୍ପିନର ସୁନିଲ ନାରାଏନ୍‌ଙ୍କ ଅନୁପସ୍ଥିତି ବୋଲିଂ ବିଭାଗକୁ ଦୁର୍ବଳ କରିଛି। ସେ ସନ୍ଦେହଜନକ ବୋଲିଂ ପାଇଁ ଦଳରୁ ଦୂରେଇ ରହିଛନ୍ତି । ଆଜି ଗିଲ୍‌, ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚ୍‌ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ପ୍ରସିଦ୍ଧ କ୍ରିଷ୍ଣା ଓ କ୍ରିସ୍‌ ଗ୍ରୀନ୍‌ଙ୍କ ସ୍ଥାନରେ ଲୋକି ଫର୍ଗୁସନ ଓ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।

ସନ୍‌ରାଇଜର୍ସ ପୂର୍ବ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସଠୁ ପରାଜିତ ହୋଇଥିଲା। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ଫର୍ମ ଦଳ ପରାଜୟର ମୁଖ୍ୟ କାରଣ ସାଜିଛି । ଅନ୍ୟ ପଟରେ ସ୍ପିନର ରସିଦ ଖାନ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୋଲର ମଧ୍ୟ ସଂଘର୍ଷ କରୁଛନ୍ତି । ବ୍ୟାଟିଂ ବିଭାଗରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର, ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ ଓ କେନ୍‌ ୱିଲାମସନ୍‌ଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି । କିନ୍ତୁ କେହି ନିୟମିତ ଭଲ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଆଜି ୱାର୍ଣ୍ଣରଙ୍କଠୁ ଦର୍ଶକ ବଡ଼ ଇନିଂସ୍‌ ଆଶାରେ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.