ଆଇପିଏଲ୍ ୨୦୨୪ ଫାଇନାଲ: ତୃତୀୟ ଥର ପାଇଁ ଚାମ୍ପିୟନ ହେଲା କୋଲକାତା ନାଇଟ୍‌ ରାଇଡର୍ସ, ହାଇଦ୍ରାବାଦକୁ ୮ ୱିକେଟ୍‌ରେ ହରାଇଲା

Published By : Prameya-News7 Bureau | May 26, 2024 IST

ଚେନ୍ନାଇ: ଆଇପିଏଲ୍ ୨୦୨୪ ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ। ରବିବାର ଚେନ୍ନାଇର ଚେପକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ କୋଲକାତା ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଇପିଏଲ୍ ଫାଇନାଲ୍ ଇତିହାସରେ ସବୁଠାରୁ କମ ୧୧୩ ରନ୍ କରିଥିଲା। ଜବାବରେ କୋଲକାତା ମାତ୍ର ୧୦.୩ ଓଭରରେ  ଦୁଇ ୱିକେଟ୍ ହରାଇ ତୃତୀୟ ଥର ପାଇଁ ଟ୍ରଫି ଜିତି ନେଇଛି।

କୋଲକାତା ପକ୍ଷରୁ ଆଜିବି ଓପନର ସୁନୀଲ ନାରାୟଣ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନଥିଲେ। କିନ୍ତୁ କେକେଆରର ଅନ୍ୟ ବ୍ୟାଟରମାନେ  ଆକ୍ରମଣାତ୍ମକ ବ୍ୟାଟିଂ କରି ୧୧ ଓଭରରେ ହାଇଦ୍ରାବାଦ ଦେଇଥିବା ଲକ୍ଷ୍ୟ ହାସଲ କରି ନେଇଛନ୍ତି।

ବ୍ୟାଟିଂରେ ଭେଙ୍କଟେଶ ଆୟର୍ କୋଲକାତା ବିଜୟର ହିରୋ ଥିଲେ। ସେ ମାତ୍ର ୨୬ ବଲରେ ୫୨ ରନ୍ ଇନିଂସ ଖେଳିଥିଲେ। ସେହିପରି ବୋଲିଂରେ କେକେଆର୍‌ର ଆଣ୍ଡ୍ରେ ରସେଲ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କଙ୍କ ମୂଲ୍ୟବାନ ୨ ୱିକେଟ୍‌, କେକେଆର୍‌କୁ ତୃତୀୟ ଥର ପାଇଁ ୱିନର କରାଇଛି। ତେବେ ଆଇପିଏଲ ଫାଇନାଲ୍ ଇତିହାସରେ ହାଇଦ୍ରାବାଦ ସବୁଠାରୁ ଲୋ ସ୍କୋର୍ କରିଥିଲା। ଯାହା ଏକ ରେକର୍ଡ ହୋଇ ରହିଗଲା।

୧୧୪ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି କେକେଆରର ଆରମ୍ଭ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିଲା। ସୁନିଲ ନାରାୟଣ(୬) ତାଙ୍କ ଇନିଂସର ପ୍ରଥମ ବଲରେ ଛକ୍କା ମାରିବା ପରେ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ। କୋଲକାତା ବିପକ୍ଷ ମ୍ୟାଚରେ ନାରାୟଣଙ୍କ ବ୍ୟାଟ୍ ପୁଣି ଥରେ ରନ୍ ବର୍ଷା କରିବାରେ ଫେଲ୍ ମାରିଥିଲା। ଏହା ପରେ ରହମାନୁଲ୍ଲା ଗୁରୁବାଜ ଗୋଟିଏ ପକ୍ଷରୁ ଖେଳ ସମ୍ଭାଳୁଥିବା ବେଳେ ଭେଙ୍କଟେଶ ଆୟର ଦ୍ରୁତ ବ୍ୟାଟିଂ କରିଥିଲେ। ଗୁରୁବାଜ ଏବଂ ଆୟରଙ୍କ ଯୋଡ଼ି ପାୱାରପ୍ଲେ ଓଭରରେ ଦଳୀୟ ସ୍କୋରକୁ ୭୨ ରନ୍ ପର୍ଯ୍ୟନ୍ତ ନେଇ ଯାଇଥିଲେ।

କେକେ ଆର ବ୍ୟାଟର ଲଗାତାର ଛକ୍କା, ଚୌକା ବର୍ଷା କରିଥିଲେ। ହାଇଦ୍ରାବାଦ ବୋଲରମାନେ ଆଜି ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ସମସ୍ତଙ୍କ ମନରେ ନିରାଶା ଖେଳି ଯାଇଥିଲା। ୩୨ ବଲରେ ୩୯ ରନ୍ ରନ୍ କରିବା ପରେ ଗୁରୁବାଜ ନବମ ଓଭରରେ ଆଉଟ୍ ହୋଇଥିଲେ। କିନ୍ତୁ ସ୍କୋରବୋର୍ଡରେ ବିଜୟ ଲକ୍ଷ୍ୟ ହାସଲ କଲା ଭଳି ରନ୍ ହୋଯାଇଥିଲା। ୧୧ ଓଭରରେ ତିନୋଟି ସିଙ୍ଗଲ୍ ନେଇ କେକେଆର୍ ବ୍ୟାଟରମାନେ ୮ ୱିକେଟ୍ ମ୍ୟାଚ୍ ଜିତି ନେଇଥିଲେ। ଶେଷ ପର୍ଯ୍ୟନ୍ତ କ୍ୟାପ୍ଟେନ୍ ଶ୍ରେୟଶ ଆୟର* ଓ ଭେଙ୍କଟେଶ୍ ପ୍ରସାଦ* ବ୍ୟାଟିଂ କରି ମ୍ୟାଚ୍ ଜିତାଇଥିଲେ।

୧୦ ବର୍ଷ ପରେ ବିଜୟ ମୁକୁଟ ପିନ୍ଧିଲା କୋଲକାତା

୨୦୧୨ ଏବଂ ୨୦୧୪ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା। ୨୦୧୨ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟ୍ ଏବଂ ୨୦୧୪ରେ ପଞ୍ଜାବ କିଙ୍ଗ୍ସକୁ ୩ ୱିକେଟ୍ ରେ ପରାସ୍ତ କରି କେକେଆର୍ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ୨୦୧୪ ପରେ, କେକେଆର ୨୦୨୧ରେ ଫାଇନାଲରେ ପହଞ୍ଚିଥିଲେ ହେଁ ଟାଇଟଲ୍ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ୨୭ ରନ୍ ହାରିଯାଇଥିଲା ୨୦୧୪ର ୧୦ବର୍ଷ ପରେ, ୨୬ ମେ ୨୦୨୪ରେ ତୃତୀୟ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହୋଇଛି କେକେଆର୍। 


ଆଇପିଏଲ୍ ୱିନର ତାଲିକା

ଆଇପିଏଲ୍‌ରେ ଇତିହାସରେ ୨୦୦୮ ଠାରୁ ଏପର୍ଯ୍ୟନ୍ତ ୧୭ଟି ମୁକାବିଲା ହୋଇଛି। ଏଥିରେ ସନ୍‌ରାଇଜର ହାଇଦ୍ରାବାଦ ମାତ୍ର ଗୋଟିଏ ଟ୍ରଫି ଜିତିଥିବା(୨୦୧୬) ବେଳେ କୋଲକାତା ୩(୨୦୧୨,୨୦୧୪,୨୦୨୪ ) ଟ୍ରଫି ହାତେଇଛି। ଆଇପିଏଲ୍‌ର  ୧୭ଟି ମୁକାବିଲା ମଧ୍ୟରୁ ମୁମ୍ବାଇ ଓ ଚେନ୍ନାଇ ସର୍ବାଧିକ ୫ ଥର ଲେଖାଏ ୱିନର ହୋଇଛନ୍ତି। ସେହିପରି ରାଜସ୍ଥାନ(୨୦୦୮ପ୍ରଥମ ଟ୍ରଫି),ଡେକାନ ଚାର୍‌ଜର୍ସ(୨୦୦୯) ଓ ଗୁଜରାଟ(୨୦୨୨) ଟାଇନଟନ୍‌ ଗୋଟିଏ ଲେଖାଏ ଟ୍ରଫି ହାତେଇଛନ୍ତି।

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.