ନୂଆବର୍ଷରେ ବିଗିଡିବନି ରୋଷେଇଶାଳର ବଜେଟ୍, ଶସ୍ତା ରହିବ ଡାଲି ଓ ଖାଦ୍ୟ ତୈଳ ମୂଲ୍ୟ
29/12/2022 at 8:08 PM

ନୂଆଦିଲ୍ଲୀ ୨୯।୧୨: ରୋଷେଇ ଘରର ବଜେଟ୍କୁ ସବୁଠୁ ଅଧିକ ପ୍ରଭାବିତ କରୁଥିବା ତେଲ ଓ ଡାଲିର ଦର ଉପରେ ସତର୍କ ନଜର ରଖାଯାଇଛି ଓ ଏହାର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ବଜାରରେ ଏହି ସାମଗ୍ରୀଗୁଡିକର ଉପଲବ୍ଧତା ବୃଦ୍ଧି ନିମନ୍ତେ ଉପାୟ ମଧ୍ୟ କରାଯାଇଛି। ଏଥିଲାଗି ସରକାର କମ୍ ଆମଦାନୀ ଶୁଳ୍କରେ ପାମ ତେଲ ଆମଦାନୀ ଲାଗି ରିହାତି ଦେଇଥିବା ବେଳେ ଡାଲି ଆମଦାନୀ ଲାଗି ଫ୍ରି ଇମ୍ପୋର୍ଟ ପଲିସିକୁ ଆହୁରି ଅଧିକ ବର୍ଷେ ସମ୍ପ୍ରସାରଣ କରିଛନ୍ତି।
ଦେଶରେ ଖାଦ୍ୟ ତୈଳ ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଡିସେମ୍ବର ୨୦୨୧ରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ। ଏହି ହ୍ରାସ ଅବଧି ୩୧ ଡିସେମ୍ବର ୨୦୨୨ରେ ଶେଷ ହେବାକୁ ଯାଉଛି। ତେବେ ସରକାର ଏହା ପୂର୍ବରୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ସମ୍ପ୍ରସାରଣ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ରିଫାଇନ ପାମ ଅଏଲ ଆମଦାନୀ କମ ଶୁଳ୍କରେ କରାଯାଇ ପାରିବ। ସରକାର ରିଫାଇନ ପାମ ତେଲ ଉପରେ ଆମଦାନୀ ଶୁଳ୍କ ୧୯.୨୫ ପ୍ରତିଶତ ହ୍ରାସ କରି ୧୩.୭୫ ପ୍ରତିଶତ କରିଦେଇଛନ୍ତି।

ଶୁଳ୍କ ହ୍ରାସ ଯୋଗୁ ଭାରତୀୟ ବ୍ୟବସାୟୀ ପାମ ଅଏଲ ଆମଦାନୀ ବେଶ୍ ସୁବିଧା ଦରରେ କରି ପାରୁଥିବା ବେଳେ ବଜାରରେ ମଧ୍ୟ ଶସ୍ତା ଓ ସହଜ ଉପଲବ୍ଧ ହୋଇ ପାରୁଛି। ସେହିପରି ସରକାର ଡାଲି ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ହରଡ ଓ ବିରିଡାଲି ଆମଦାନୀ ଉପରେ ଫ୍ରି ଇମ୍ପୋର୍ଟ ପଲିସି ଲାଗୁ କରିଛନ୍ତି। ଏହି ନୀତିର ଅବଧି ସରକାର ଏବେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିବାରୁ ନିକଟ ଭବିଷ୍ଯତରେ ଡାଲି ମୂଲ୍ୟ ବୃଦ୍ଧିର ସମ୍ଭାବନା ନାହିଁ।
ଫ୍ରି ଇମ୍ପୋର୍ଟ ପଲିସି ଯୋଗୁ ବ୍ୟବସାୟୀଙ୍କୁ ଡାଲି ଆମଦାନୀରେ ଅସୁବିଧା ହେଉ ନଥିବା ବେଳେ ଖୁଚୁରା ବଜାରରେ ଉପଲବ୍ଧତା ବଢିବା ସହିତ ମୂଲ୍ୟ ଉପରେ ଲଗାମ ଲାଗିଛି। ଗତବର୍ଷ ଖୁଚୁରା ବଜାରରେ ଡାଲିର ମୂଲ୍ୟ ବୃଦ୍ଧିକୁ ଦେଖି ସରକାର ଫ୍ରି ଇମ୍ପୋର୍ଟ ପଲିସି ଲାଗୁ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ନଭେମ୍ବର ୨୦୨୨ରୁ ବଜାରରେ ଡାଲିର ମୂଲ୍ୟ ନିୟନ୍ତ୍ରଣାଧୀନ ରହିଛି। ଫଳରେ ମୁଦ୍ରାସ୍ପିତି ହାର ୩.୧୫ ପ୍ରତିଶତକୁ ହ୍ରାସ ହୋଇଛି।

ସରକାର ଡାଲି ଓ ତେଲ ବ୍ୟତୀତ କଟନ (କପା) ଆମଦାନୀ ଉପରେ ମଧ୍ୟ ଶୁଳ୍କ ହ୍ରାସ କରିଛନ୍ତି। ବ୍ୟବସାୟୀ ଏବେ ବିନା ଆମଦାନୀ ଶୁଳ୍କ ପୈଠରେ ୫୧ ହଜାର ଟନ ଏକ୍ସଟ୍ରା ଲଙ୍ଗ କଟନ ଆମଦାନୀ କରିପାରୁଛନ୍ତି। ଏଣୁ ସୂତା କପଡା ଉତ୍ପାଦନ ଦର ହ୍ରାସ ହୋଇଥିବା ବେଳେ ଖୁଚୁରା ବଜାରରେ ମଧ୍ୟ ଏହାର ଦର ନିୟନ୍ତ୍ରଣରେ ରହିଛି। କେବଳ ଏତିକି ନୁହେଁ ସରକାର ମସୁର ଓ ବାଦାମ ଆମଦାନୀ ଉପରେ ମଧ୍ୟ୫୦ ପ୍ରତିଶତ ଶୁଳ୍କ ରିହାତି କରିଛନ୍ତି।