ବରଗଡ଼ ଧନୁଯାତ୍ରା: କିଷନ ହେବେ ବଳରାମ

Published By : Prameya-News7 Bureau | December 12, 2022 IST

ବରଗଡ, ୧୨/୧୨: ବରଗଡର ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାରେ ଅଭିନୟ କରିବେ କିଷନ ବିର୍ତ୍ତିଆ । ଗୋପପୁର ସାଜୁଥିବା ଅମ୍ବାପାଲି ଗ୍ରାମରେ ଆଜି ବୈଠକ ଅନୁଷ୍ଠିତ ହେବା ପରେ କିଷନଙ୍କ ନାମ ଘୋଷଣା କରାଯାଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ କଳାକାର ଶ୍ରେୟସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା । ମାତ୍ର ଗତ ୯ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ଏଣୁ ଧନୁଯାତ୍ରାରେ ତାଙ୍କ ସ୍ଥାନରେ ଅଭିନୟ ପାଇଁ ନୂତନ କଳାକାର  ଖୋଜାଯାଇଥିଲା ।

ଆଜି ସଂଧ୍ୟାରେ ଅମ୍ବାପାଲି ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅମ୍ବାପାଲି ଗ୍ରାମବାସୀ, ଗୋପପୁର କମିଟିର ସମସ୍ତ ସଦସ୍ୟ, ଧନୁଯାତ୍ରା କମିଟିର ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି କ୍ରମେ ଅମ୍ବାପାଲି ଗ୍ରାମର ଶିଶୁକଳାକାର କିଷନ ବିର୍ତ୍ତିଆଙ୍କୁ ଚୟନ କରାଯାଇଥିଲା । ଆସନ୍ତାକାଲିଠାରୁ ସେ ଆଖଡ଼ାଶାଳରେ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.