‘କିଛି ଲୋକ ବିବିସିକୁ ସୁପ୍ରିମକୋର୍ଟଙ୍କ ଠାରୁ ବି ବଡ଼ ଭାବୁଛନ୍ତି’… ଡକ୍ୟୁମେଣ୍ଟ୍ରି ବିବାଦକୁ କିରନ ରିଜିଜୁଙ୍କ ପ୍ରତିକ୍ରିୟା
22/01/2023 at 7:54 PM

ନୂଆଦିଲ୍ଲୀ, ୨୨/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟ୍ରି ବିବାଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାରି ମଧ୍ୟରେ ସରକାର ଏହି ଡକ୍ୟୁମେଣ୍ଟ ସହ ସମ୍ବଳିତ ୟୁଟ୍ୟୁବ୍ ଭିଡିଓ ଏବଂ ଟ୍ବିଟ୍କୁ ବ୍ୟାନ୍ ପାଇଁ ମଧ୍ୟ ନିର୍ଦେ୍ଦଶ ଦେଇଛନ୍ତି। ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ।
କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ରଖି ଏହି ଘଟଣାକୁ ନେଇ ଆଲୋଚନା କରୁଥିବା ବ୍ୟକ୍ତିଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ‘କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ବିବିସିକୁ ଭାରତର ସୁପ୍ରିମକୋର୍ଟଙ୍କ ଠାରୁ ଉପରେ ବୋଲି ବିଶ୍ବାସ କରନ୍ତି। କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଏଭଳି ଲୋକ ନିଜ ମାଲିକଙ୍କୁ ଖୁସ୍ କରିବାକୁ କିଛି କରିବାକୁ ପଛାଇନଥାନ୍ତି ଏମାନେ ଦେଶର ଗାରିମା ଏବଂ ଛବିକୁ ନଷ୍ଟ କରିପାରନ୍ତି। ଏଭଳି ଳୋକେ ଏବେବି ଉପନିବେଶବାଦ୍ରୁ ଦୂରେଇ ନାହାଁନ୍ତି। ସେ ଆହୁରି କହିଛନ୍ତି ଏଭଳି ଖଣ୍ଡ ବିଖଣ୍ଡିତ ଦଳର ସଦସ୍ୟଙ୍କଠାରୁ କିଛି ଭଲ ଆଶା କରିପାରିବା ନାହିଁ। ଏମାନଙ୍କ ଏକମାତ୍ର ଲକ୍ଷ୍ୟ ଭାରତର ଶକ୍ତିକୁ ଦୁର୍ବଳ କରିବା।’
ଏହା ପୂର୍ବରୁ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ଓ୍ବିଙ୍ଗ୍(RAW)ର ପୂର୍ବତନ ମୁଖ୍ୟ ସଞ୍ଜୀବ ତ୍ରିପାଠୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତିଆରି ହୋଇଥିବା ବିବିସିର ଡକ୍ୟୁମେଣ୍ଟ୍ରିକୁ ପକ୍ଷପାତ, ଏବଂ ତ୍ରୁଟିପୂର୍ଣ୍ଣ ବୋଲି କହିଥିଲେ। ସେ ଡକ୍ୟୁମେଣ୍ଟ ପଛରେ ବିବିସିର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ସୁପ୍ରିମକୋର୍ଟ ନିକଟରେ ପିଏମ ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି।
ସେପଟେ କେନ୍ଦ୍ର ସରକାର ବିବିସି ଡକ୍ୟୁମେଣ୍ଟ୍ରିର ଲିଙ୍କ୍ ୟୁଟ୍ୟୁବ୍ ଏବଂ ଟ୍ବିଟକୁ ବ୍ଲକ୍ ପାଇଁ କରିବା ନିର୍ଦେ୍ଦଶ ଦେଇଛନ୍ତି। ଏହି ଡକ୍ୟୁମେଣ୍ଟ୍ରିକୁ ଅପପ୍ରଚାରର ଅଂଶ କହି ବିଦେଶ ମନ୍ତ୍ରାଳୟ ଏହାକୁ ଖାରଜ୍ କରିଛନ୍ତି ଏବଂ କହିଛନ୍ତି ଏହା ସ୍ପଷ୍ଟ ଭାବରେ ପକ୍ଷପାତିତା, ତଥ୍ୟର ଅଭାବ ଏବଂ ଉପନିବେଶବାଦ ମାନସିକତାକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି।
ବିବିସି ଡକ୍ୟୁମେଣ୍ଟ୍ରି ବିରୋଧରେ ଅବସରପ୍ରାପ୍ତ ବିଚାରପତି, ସର୍ଭିସ୍ ମ୍ୟାନ୍ ଏବଂ ସଶସ୍ତ୍ର ବଳର ଦିଗ୍ଗଜଙ୍କ ସହ ୩୦୦ ରୁ ଅଧିକ ପ୍ରତିଷ୍ଠିତ ଭାରତୀୟ ଭାରତ ଏବଂ ଏହାର ନେତାଙ୍କ ପ୍ରତି ଅବିଶ୍ବସନୀୟ ପକ୍ଷପାତିତା ପ୍ରଦର୍ଶନ ଅଭିଯୋଗ କରି ବିବିସିକୁ ନିନ୍ଦା କରି ଏକ ବୟାନରେ ହସ୍ତାକ୍ଷର କରିଛନ୍ତି।