କଲେଜିୟମ ଉପରେ କିରଣ ରିଜିଜୁଙ୍କ ଟିପ୍ପଣୀକୁ ନେଇ ହରିଶ ସାଲଭେଙ୍କ ବୟାନ,କହିଲେ- ଲକ୍ଷ୍ମଣ ରେଖା ଲଙ୍ଘିଛନ୍ତି ଆଇନ ମନ୍ତ୍ରୀ

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: କେଲଜିୟମ ପ୍ରଣାଳୀକୁ ନେଇ ନ୍ୟାୟପାଳିକ ଏବଂ ସରକାର ମଧ୍ୟରେ ଜାରି ଥିବା ବିବାଦ ଉପରେ ଟିପ୍ପଣୀ କରି କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଲକ୍ଷ୍ମଣ ରେଖା ଲଙ୍ଘିଛନ୍ତି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ହରିଶ ସାଲଭେ । ନିର୍ବାଚନ କମିଶନର ଭାବେ ଅରୁଣ ଗୋୟଲଙ୍କୁ ନିଯୁକ୍ତି ଦେବା ପାଇଁ ସରକାର କିପରି ଚୟନ କଲେ,ସୁପ୍ରିମକୋର୍ଟଙ୍କ ଏହି ତଦନ୍ତର ଜବାବରେ ଆଇନ ମନ୍ତ୍ରୀ କହିଥିଲେ ଯେ, କଲେଜିୟମ ମାଧ୍ୟମରେ ବିଚାରପତିଙ୍କ ନିଯୁକ୍ତିରେ ମଧ୍ୟ ଏହି ପରି ଯାଞ୍ଚ କରାଯାଇ ପାରିବ ।

ଏକ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ସାଲଭେ କହିଛନ୍ତି, 'ମୋ ମତରେ, ଆଇନ ମନ୍ତ୍ରୀ ଯାହା କହିଛନ୍ତି, ତାହା ଲକ୍ଷ୍ମଣ ରେଖା ଲଙ୍ଘିବା ପରି ଥିଲା । ଯଦି ସେ ଭାବନ୍ତି ଯେ ସୁପ୍ରିମକୋର୍ଟ ଏକ ଅସାମ୍ୱିଧାନିକ ଆଇନକୁ ଦେଖି ନିଜ ହାତ ବାନ୍ଧି ରଖିବା ଦରକାର ଏବଂ ସେହି ଆଇନରେ ସଂଶୋଧନ କରିବା ପାଇଁ ସରକାରଙ୍କ ଉଦାରତା ଉପରେ ଭରସା କରିବା ଦରକାର, ତେବେ ତାହା ଭୁଲ'।    

ଟାଇମ୍ସ ନାଓ ସମିଟ୍ ୨୦୨୨ରେ ପୂର୍ବତନ ସିଜେଆଇ ୟୁୟୁ ଲଲିତଙ୍କ ସହ ଏକ ଆଲୋଚନାରେ ଭାଗ ନେଇ ଏହି ବୟାନ ଦେଇଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟ କଲେଜିୟମ ପ୍ରଣାଳୀ ଉପରେ ମତ ପଚରାଯିବା ପରେ, ସାଲଭେ କହିଥିଲେ ଯେ ଏହି ବ୍ୟବସ୍ଥା ବିତର୍କର ବିଷୟ ହୋଇ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଦେଶର ନ୍ୟାୟପାଳିକାରେ ବିଚାରପତିଙ୍କ ନିଯୁକ୍ତି ପାଇଁ ଗ୍ରହଣ କରାଯାଉଥିବା କେଲିଜିୟମ୍ ସିଷ୍ଟମ ଏବେ ବେଶ ଚର୍ଚ୍ଚାରେ ରହିଛି । କେନ୍ଦ୍ର ସରକାର ଏଥିରେ ସଂଶୋଧନ କଥା କହୁଥିବା ବେଳେ ଅନ୍ୟପଟେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ସପକ୍ଷରେ ଅଛନ୍ତି । ଏହାରି ଭିତରେ ଗତ ଶୁକ୍ରବାର ଆଇନ ମନ୍ତ୍ରୀ କଲେଜିୟମ ସିଷ୍ଟମକୁ ନେଇ କଡା ଟିପ୍ପଣୀ ଦେଇଥିଲେ । ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି କହିଥିଲେ, ଭାରତର ସମ୍ୱିଧାନ ପାଇଁ କଲେଜିୟମ ସିଷ୍ଟମ ଏଲିଅନ୍ ପରି ଅଟେ । ତେବେ ସେ ଏହା ମଧ୍ୟ କହିଥିଲେ ଯେ ସରକାର ଏହି ପ୍ରକ୍ରିୟାକୁ ସମ୍ମାନ କରନ୍ତି କାରଣ ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ କେହି ବି ନ୍ୟାୟପାଳିକାର ଅପମାନ କରିପାରିବ ନାହିଁ ।

କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ, କଲେଜିୟମ ପ୍ରଣାଳୀ କେଉଁ ପ୍ରାବଧାନ ଅଧିନରେ ନିର୍ଦ୍ଧାରିତ କରାଯାଇଛି । ସେ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ କଲେଜିୟମରୁ ସୁପାରିସ ପଠାଯିବା ପରେ ସରକାର ଫାଇଲ ଉପରେ ବସି ନଥାନ୍ତି, ସରକାରଙ୍କୁ ମଧ୍ୟ ଉଚିତ ପରିଶ୍ରମ କରିବାକୁ ପଡୁଛି । ଏହାସହ ସେ କହିଥିଲେ, ସଂସଦରେ ସର୍ବସମ୍ମତିରେ କଲେଜିୟମ ପ୍ରଣାଳୀ ପରିବର୍ତ୍ତେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମ ପାରିତ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଥିଲେ । କଲେଜିୟମ ପ୍ରଣାଳୀରେ ଅନେକ ଦୁର୍ବଳତା ରହିଛି ଏବଂ ଏହି ପ୍ରଣାଳୀର ପାରଦର୍ଶିତା ଉପରେ ଅନେକ ପ୍ରଶ୍ନ ଉଠାଯାଉଛି । ଅନ୍ୟପଟେ କେହି ମଧ୍ୟ ଉତ୍ତରଦାୟୀ ନୁହଁନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.