ଗର୍ଜିଲା କିଙ୍ଗ୍ସ ଇଲେଭେନ: ମୟଙ୍କ ଅଗ୍ରଓ୍ୱାଲଙ୍କ ବିସ୍ଫୋରକ ଶତକ ଓ ରାହୁଲଙ୍କ ହାଫ୍ ସେଞ୍ଚୁରୀ, ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୨୨୪ ରନର ଟାର୍ଗେଟ୍
27/09/2020 at 9:10 PM

ଶାରଜା ୨୭।୦୯: ମୟଙ୍କ ଅଗ୍ରଓ୍ଵାଲଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ କିଙ୍ଗ୍ସ ଇଲେଭେଜନ ପଞ୍ଜାବ ଚଳିତ ଆଇିଏଲରେ କ୍ରମାଗତ ଦ୍ଵିତୀୟ ଥର ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରିବାରେ ସଫଳ ହୋଇଛି। ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ନବମ ମ୍ୟାଚ୍ରେ ମୟଙ୍କ ଅଗ୍ରଓ୍ଵାଲଙ୍କ ଧୂଆଁଧାର ୧୦୬ ରନ ଏବଂ ରାହୁଲଙ୍କ ୬୯ ରନ ସହାୟତାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ରାଜସ୍ଥାନ ରୟାଲ୍ସ ବିରୋଧରେ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୨୩ର ବିଶାଳ ସ୍କୋର କରିଛି। ମ୍ୟାଚ୍ରେ ରୟାଲ୍ସର ବୋଲର ପ୍ରଭାବହୀନ ରହିଛନ୍ତି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବ ଗତ ମ୍ୟାଚ୍ର ବ୍ୟାଟିଂ ଫର୍ମକୁ ଆଜିର ମ୍ୟାଚ୍ରେ ଜାରି ରଖିଥିଲା। ଦୁଇ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଧିନାୟକ ଲୋକେଶ ରାହୁଲ ଆରମ୍ଭରୁ ରାଜସ୍ଥାନ ରୟାଲ୍ସ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ଦୁଇ ବ୍ୟାଟସମ୍ୟାନ ବିରୋଧୀ ବୋଲରଙ୍କୁ ନିର୍ମମ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଦୁଇ ଓପନର ମାତ୍ର ୪ ଓଭରରୁ ଅର୍ଦ୍ଧଶତକୀୟ ଭାଗିଦାରୀ ଏବଂ ୧୦ ଓଭର ପୂର୍ବରୁ ଶତକୀୟ ଭାଗିଦାରୀ ଯୋଡିଥିଲେ।

ବିଶେଷ କରି ମୟଙ୍କ ଅଗ୍ରଓ୍ଵାଲ ଆଜି ବିସ୍ଫୋରକ ବ୍ୟାଟିଂ କରିଥିଲେ। ମୟଙ୍କ ସମସ୍ତ ବୋଲରଙ୍କୁ ନିର୍ମମ ପ୍ରହାର କରି ମାତ୍ର ୪୫ ବଲରୁ ୯ ଚୌକା ଓ ୭ ଛକା ଜରିଆରେ ଚଳିତ ଆଇପିଏଲରେ ଦ୍ଵିତୀୟ ବ୍ୟାଟସମ୍ୟାନ ଭାବେ ଶତକ ଅର୍ଜନ କରିଥିଲେ। ଏହାର ପୂର୍ବ ମ୍ୟାଚ୍ରେ ଲୋକେଶ ରାହୁଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ଶତକ ଅର୍ଜନ କରିଥିଲେ। ଆଇପିଏଲ ଇତିହାସରେ ମୟଙ୍କ ଏହା ହେଉଛି ପ୍ରଥମ ଶତକ। ରାଜସ୍ଥାନ ରୟାଲ୍ସକୁ ୧୭ ତମ ଓଭରରେ ଯାଇ ପ୍ରଥମ ସଫଳତା ମିଳିଥିଲା। ମୟଙ୍କ ଅଗ୍ରଓ୍ଵାଲଙ୍କୁ ଆଉଟ୍ କରି ଟମ୍ କରନ ଦଳ ପାଇଁ ପ୍ରଥମ ଓ୍ଵିକେଟ୍ ନେଇଥିଲେ। ୧୬.୩ ଓଭରରେ ମୟଙ୍କ ଓ ରାହୁଲ ଓପନିଂ ଯୋଡିରେ ୧୮୩ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋର ଲାଗି ମୂଳଦୂଆ ପକାଇଥିଲେ। ମୟଙ୍କ ୫୦ ବଲରୁ ୧୦ ଚୌକା ଓ ୭ ଛକା ଜରିଆରେ ୧୦୬ରନର ଅଦ୍ଭୁତ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।

ଏହା ପରେ ଲୋକେଶ ରାହୁଲ ଦ୍ଵିତୀୟ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ଗତ ମ୍ୟାଚ୍ର ହିରୋ ରାହୁଲ ୫୪ ବଲରୁ ୭ ଚୌକା ଓ ୧ ଛକା ସହାୟତାରେ ୬୯ ରନର ଗୁରୁତ୍ଵପୁର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ଗ୍ଲେମ ମ୍ୟାକ୍ସଓ୍ଵେଲ ୯ ବଲରୁ ୧୩ ଏବଂ ନିକୋଲାସ ପୂରନଙ୍କ ୮ ବଲରୁ ୧ ଚୌକା ଓ ୩ ଛକାର ଧୂଆଁଧାର ୨୫ ରନ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୨୩ ରନ କରିଛି। ଚଳିତ ଆଇପିଏଲରେ ପଞ୍ଜାବର ଏହା ସର୍ବାଧିକ ସ୍କୋର।
ପଞ୍ଜାବ ତରଫରୁ ସଫଳ ବୋଲର ଭାବେ ଅଙ୍କିତ ରାଜପୁତ ଓ ଟମ କରନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।