ନିଜକୁ ଆହୁରି ମଜଭୁତ କରିବ ଉତ୍ତର କୋରିଆ, ୨୦୨୩ ଲାଗି ସେନା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କଲେ କିମ୍‌ ଜୋଙ୍ଗ ଉନ୍

Published By : Prameya-News7 Bureau | December 28, 2022 IST

ପ୍ୟୋଙ୍ଗୟାଙ୍ଗ ୨୮।୧୨: ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ ୨୦୨୩ ମସିହାରେ ନିଜ ସୈନ୍ୟ ଶକ୍ତିକୁ ଅଧିକ ମଜଭୁତ କରିବା ପାଇଁ ଶୀର୍ଷ ରାଜନୈତିକ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ କେସିଏନଏ ବୁଧବାର ଏହି ସୂଚନା ଦେଇଛି। କିମ୍‌ଙ୍କ ବୟାନରୁ ଯାହା ସଂକେତ ମିଳୁଛି ଉତ୍ତର କୋରିଆ ଆଗାମୀ ବର୍ଷ ଅସ୍ତ୍ରଶସ୍ତ୍ର ଠୁଳ କରିବା କାର୍ଯ୍ୟରେ ଲାଗି ରହିବ।  

କିମ୍‌ଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆ ସହ ଶତ୍ରୁତା ଚରମ ସୀମାରେ ପହଞ୍ଚିଛି। ଦକ୍ଷିଣ କୋରିଆ ଅଭିଯୋଗ କରିଛି ଯେ ଉତ୍ତର କୋରିଆ ୫ ବର୍ଷରେ ପ୍ରଥମ ଥର ଦକ୍ଷିଣ କୋରିଆ ସୀମା ନିକଟରେ ଡ୍ରୋନ ଉଡାଇଛି। ଉତ୍ତର କୋରିଆ ୨୦୨୨ରେ ଅନେକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏପରି ଗତିବିଦ୍ଧିରୁ ବିଶେଷଜ୍ଞମାନେ ଉତ୍ତର କୋରିଆ ତାର ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଆଧୁନିକ କରିବା ଓ ଆମେରିକା ସହ ଭବିଷ୍ୟତରେ ଏଥିରୁ ଲାଭ ଉଠାଇବାକୁ ଉଦ୍ୟମ କରିବ ବୋଲି ଆକଳନ କରାଯାଉଛି।

କେସିଏନଏ ଅନୁସାରେ କ୍ଷମତାସୀନ ୱାର୍କର୍ସ ପାର୍ଟିର ପୂର୍ଣ୍ଣ ବୈଠକରେ କିମ୍‌ ମଙ୍ଗଳବାର ଅନ୍ତର୍ଜାତୀୟ ରାଜନୀତି ଓ କୋରିଆ ପ୍ରାୟୋଦ୍ୱୀପରେ ନୂଆ ସୁରକ୍ଷା ଆହ୍ୱାନର ବିଶ୍ଲେଷଣ କରିଛନ୍ତି। ଏଥିରେ ଜାତୀୟ ହୀତ ଓ ଦେଶର ସାର୍ବଭୌମତ୍ୱ ରକ୍ଷା ଲାଗି ବାହ୍ୟ ସମ୍ପର୍କ ତଥା ଶତ୍ରୁଙ୍କ ବିରୋଧରେ ଯୁଦ୍ଧ ଲାଗି ସିଦ୍ଧାନ୍ତ ଓ ନିର୍ଦ୍ଦେଶକୁ ସ୍ପଷ୍ଟ କରିଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ କିମ୍‌ ୨୦୨୩ରେ ଆତ୍ମ ନିର୍ଭର ରକ୍ଷା କ୍ଷମତାକୁ ଆଗକୁ ବଢାଇବା ଲାଗି ନୂଆ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ କିମ୍‌ ଜୋଙ୍ଗ ଉନଙ୍କ ୨୦୨୩ ଲକ୍ଷ ନେଇ ଉତ୍ତର କୋରିଆ ଗଣମାଧ୍ୟମ ବିଶେଷ କୌଣସି ସୂଚନା ଦେଇ ନାହାନ୍ତି। ହେଲେ କିମ୍‌ଙ୍କ ବୟାନରୁ ଉତ୍ତର କୋରିଆ ଏହି ବର୍ଷ ସୈନ୍ୟ କ୍ଷମତା ବୃଦ୍ଧି କରିବା ବୋଲି ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.