ଆଣବିକ ଅସ୍ତ୍ର ନିକ୍ଷେପକାରୀ ‘ବୁଡ଼ା-ଡ୍ରୋନ୍’ ପରୀକ୍ଷା କଲା ଉତ୍ତର କୋରିଆ: ‘ରେଡିଓ ଆକ୍ଟିଭ୍ ସୁନାମି’ର ଚେତାବନୀ
24/03/2023 at 12:21 PM

ପ୍ୟଙ୍ଗୟାଙ୍ଗ୍ ୨୪/୦୩ : ଉତ୍ତର କୋରିଆର ତାନସାହୀ କିମ୍ ଜୋଙ୍ଗ ଉନ୍ ହାତରେ ସମୁଦ୍ରରେ ସୁନାମୀ ସୃଷ୍ଟି କଲାଭଳି ହତିଆର ଲାଗିଛି।
ସୂଚନାନୁଯାୟୀ ଉତ୍ତର କୋରିଆ ‘ରେଡିଓ ଆକ୍ଟିଭ୍ ସୁନାମି’ର ଚେତାବାନୀ ଦେଇଛି। କାହିଁକିନା ସୁନାମୀ ସୃଷ୍ଟି କରିବା ଭଳି ସାମର୍ଥ୍ୟ ଥିବା ଆଣବିକ ଅସ୍ତ୍ର ପ୍ରୟୋଗକାରୀ ‘ବୁଡ଼ା-ଡ୍ରୋନ୍’ ପରୀକ୍ଷଣ କରିଛନ୍ତି। ଉତ୍ତରକୋରିଆର ନେତା କିମ ଜୋଙ୍ଗ ଉନ ଯୁକ୍ତରାଷ୍ଟ୍ର ଆମେରିକା ଓ ତା’ର ମିତ୍ରରାଷ୍ଟ୍ରଙ୍କ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଏହି ‘ବୁଡ଼ା-ଡ୍ରୋନ୍’ର ପରୀକ୍ଷଣ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇଥିଲା।

ରାଷ୍ଟ୍ରାୟାତ ଗଣମାଧ୍ୟମ ‘କେସିଏନ୍ଏ’ କହିଛି ଯେ, ଏହି ଡ୍ରୋନ୍ ଯୁଦ୍ଧାସ୍ତ୍ର ପାଣିରେ ବୁଡ଼ି ଯୁଦ୍ଧପୋତ ଆଦି ଥିବା ଅଞ୍ଚଳକୁ ପ୍ରବେଶ କରି ଶତ୍ରୁପକ୍ଷର ଯୁଦ୍ଧପୋତକୁ ଚିହ୍ନଟ କରିବା ସହ ବିସ୍ଫୋରଣ କରି ନଷ୍ଟ କରିଦେବ। ଜଳରାଶିରେ ଏହି ଆଣବିକ ବିସ୍ଫୋରଣ ଯୋଗୁଁ ଅତି ପ୍ରବଳ ‘ତେଜଷ୍କ୍ରିୟ ବିକିରଣ ସୁନାମି’ ସୃଷ୍ଟି ହେବ।
ଉତ୍ତର କୋରିଆ ଦାବି କରିଛି ଯେ, ଏହା ଅଣ୍ଡରୱାଟର ଆଣବିକ ସଶସ୍ତ୍ର ଡ୍ରୋନକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଯାହାର ଉଦ୍ଦେଶ୍ୟ ପାଣି ଭିତରେ ଶତ୍ରୁ ଅଞ୍ଚଳ ଉପରେ ସିଧାସଳଖ ଆକ୍ରମଣ କରିବା। ଏଥିସହିତ କୋରିଆ ଉପଦ୍ୱୀପରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଉତ୍ତର କୋରିଆ ଆମେରିକା ଏବଂ ଦକ୍ଷିଣ କୋରିଆକୁ ଦାୟୀ କରିଛି।
ଖବର ଅନୁଯାୟୀ, ଏହି ଅଣ୍ଡର ୱାଟର ଆଟାକ୍ ଡ୍ରୋନ୍ ରେଡିଓଆକ୍ଟିଭ୍ ସୁନାମୀ ସୃଷ୍ଟି କରିପାରେ। ଏହି ପରୀକ୍ଷଣ ସମୟରେ ଡ୍ରୋନ୍ 59 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡ୍ରୋନ୍ ପାଣି ତଳେ ୮୦ ରୁ ୧୫୦ ମିଟର ଗଭୀରତାରେ ପହଞ୍ଚି ପରେ ଏହା ତାର ଲକ୍ଷ୍ୟ ଉପରେ ଆକ୍ରମଣ କରିଥିଲା।
କେସିଏନ୍ଏ ନିଜ ରିପୋର୍ଟରେ କହିଛି ଯେ, ଗୁରୁବାର ଦିନ ଉତ୍ତର କୋରିଆର ପୂର୍ବ ଉପକୂଳ ଅନ୍ତର୍ଗତ ଦୂର ଜଳରାଶି ମଧ୍ୟରେ ‘ହୈଲି’ ବା ‘ସୁନାମି’ ନାମରେ ଖ୍ୟାତ ଏହି ନୂତନ ‘ବୁଡ଼ା -ଡ୍ରୋନ୍’ର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଜଳରାଶିର ୨୬୦ରୁ ୫୦୦ ଫୁଟ୍ ଗଭୀରରେ ଏହି ‘ବୁଡ଼ା-ଡ୍ରୋନ୍’ ୫୯ ଘଣ୍ଟାରୁ ଅଧିକ ସମୟ ରହିବା ପରେ ବିସ୍ଫୋରିତ ହୋଇଥିଲା । ଏହି ‘ବୁଡ଼ା-ଡ୍ରୋନ୍’କୁ ଯେକୌଣସି ସମୁଦ୍ର ଉପକୂଳ ଓ ବନ୍ଦରରେ ମୁତୟନ କରାଯାଇପାରିବ।
ଉତ୍ତରକୋରିଆ ଦ୍ୱାରା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଉତକ୍ଷେପଣ ଏବଂ ପରୀକ୍ଷଣ ଆମେରିକା ଓ ତାର ସହଯୋଗୀ ଦେଶ ଉପରେ ଚାପ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଏହି ମାସରେ ଆମେରିକା ଏବଂ ଦକ୍ଷିଣ କୋରିଆ ସୈନ୍ୟବାହିନୀ କୋରିଆ ଉପଦ୍ୱୀପରେ ବର୍ଷ ବର୍ଷ ଧରି ନିଜର ସର୍ବ ବୃହତ ସାମରିକ ଡ୍ରିଲ୍ କରିଥିଲେ ଯାହାକୁ ଉତ୍ତର କୋରିଆ ଏକ ଉତ୍ତେଜନା ବୋଲି କହିଥିଲା । ସେହି ଦିନଠାରୁ ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରିଆସୁଛି।