ତାନଶାହଙ୍କ ଭଉଣୀ: ନିଅନ୍ତି ଜୋରଦାର୍ ଆକ୍ସନ୍, ଖୋଲାଖୋଲି ଦିଅନ୍ତି ଧମକ
16/09/2023 at 2:49 PM

ନୂଆଦିଲ୍ଲୀ ୧୬।୦୯: ତାନଶାହା କିମ୍ ଜଙ୍ଗ୍ ଉନ୍ । ନିଜର ଏକଛତ୍ରବାଦୀ ଶାସନ ପାଇଁ ସାରା ବିଶ୍ବରେ ପରିଚିତ । ଏବେ ତାନଶାହା ଖୁବ୍ ଚର୍ଚ୍ଚାରେ ଅଛନ୍ତି । କିମ୍ ଜଣେ ଏପରି ନେତା, ଯିଏକି ନିଜର ଅଜବ ହରକତ ଏବଂ ନିଷ୍ପତି ପାଇଁ ଜଣାଯାଆନ୍ତି । କିମ୍ଙ୍କୁ ଦୁନିଆର ସବୁଠାରୁ ବିପଜ୍ଜନକ ନେତାଙ୍କ ମଧ୍ୟରେ ଗଣାଯାଏ ।

କିନ୍ତୁ କିମ୍ ଜଙ୍ଗ୍ ଉନ୍ଙ୍କ ଭଉଣୀ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । ତାଙ୍କ ନାଁ ହେଉଛି କିମ ୟୋ ଜଙ୍ଗ୍ । କିମ୍ଙ୍କ ଠାରୁ କମ୍ ନୁହଁନ୍ତି ତାଙ୍କ ଭଉଣୀ । ସେ ବି ଭାଇ ପରି ଖୁବ୍ ଖତରନାକ୍ । ସବୁ ସମୟରେ କିମ୍ଙ୍କ ସହ ନଜର ଆସନ୍ତି ଭଉଣୀ କିମ ୟୋ ଜଙ୍ଗ୍ । ତାଙ୍କୁ ତାନଶାହାଙ୍କ ‘ସିକ୍ରେଟ୍ ଡାୟରୀ’ କୁହାଯାଏ ।

ବିଶ୍ୱ ନଜରକୁ ପ୍ରଥମ ଥର ୟୋ ଜଙ୍ଗ ଆସିଥିଲେ ଫେବୃଆରୀ ୨୦୧୮ରେ । ତେବେ ୟୋ ଜଙ୍ଗ୍ଙ୍କ ଜନ୍ମ ତାରିଖକୁ ନେଇ ଅନେକ ଦାବି ରହିଛି । କିଛି ରିପୋର୍ଟ ଅନୁଯାୟୀ ତାଙ୍କ ଜନ୍ମ ୨୬ ସେପ୍ଟେମ୍ବର ୧୯୮୭ରେ ହୋଇଛି । କିନ୍ତୁ ଆମେରିକା ଅନୁଯାୟୀ ୟୋ ଜଙ୍ଗ୍ ୧୯୮୯ରେ ଜନ୍ମ ହୋଇଛନ୍ତି । ସେ ୧୯୯୬ରୁ ୨୦୦୦ ଯାଏଁ ସ୍ୱିଜରଲ୍ୟାଣ୍ଡର ଏକ ଘରୋଇ ସ୍କୁଲ୍ରେ ପାଠ ପଢିଛନ୍ତି ।

ଏହି ସମୟରେ ତାଙ୍କ ପରିଚୟ ଲୁଚାଇବା ପାଇଁ ତାଙ୍କ ନାଁ ପାକ୍-ମି-ହାଇଆଙ୍ଗରେ ରଖାଯାଇଥିଲା । ସ୍କୁଲ ପରେ କିମ ୟୋ ଜୋଙ୍ଗ ସ୍ୱିଜରଲ୍ୟାଣ୍ଡ ଛାଡିଥିଲେ । ସେ ୨୦୦୭ରେ ପ୍ୟୋଙ୍ଗୟାଙ୍ଗର କିମ ଇଲ-ସୁଙ୍ଗ୍ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ।

ଏକ ଦାବି ଅନୁଯାୟୀ ପାଠ ପଢିବା ସମୟରେ କିମ ୟୋ-ଜଙ୍ଗଙ୍କ ପ୍ରଭାବ ବେଶ୍ ଭିନ୍ନ ରହିଥିଲା । ସେ ଯେତେବେଳେ ସ୍କୁଲ୍ ହଲରୁ ବାହାରନ୍ତି, ସେତେବେଳେ ସମସ୍ତ ଛାତ୍ରଛାତ୍ରୀ ତାଙ୍କ ପାଇଁ ରାସ୍ତା ଛାଡି ଦେଇଥାନ୍ତି । ଏମିତିକି ତାଙ୍କ ସାଙ୍ଗମାନେ ତାଙ୍କ ସହିତ ଲିଫ୍ଟରେ ଯାଇପାରିବେନି ।

କିମ୍ ୟୋ ଜଙ୍ଗ ଇଂରାଜୀ ଏବଂ ଜର୍ମାନୀ ଭାଷାରେ ଲେଖି ପଢିପାରିବେ । ୨୦୧୧ରେ ପିତା ମୃତ୍ୟୁ ପରେ ଉତ୍ତର କୋରିଆର ନୂଆ ଶାସକ ହୋଇଛି କିମ ଜଙ୍ଗ ଉନ୍ । ଏହି ସମୟରେ କିମ୍ ପଛରେ ଠିଆ ହୋଇଥିଲେ ୟୋ ଜଙ୍ଗ୍ ।

୨୦୧୨ରେ କିମ୍ ତାଙ୍କ ଭଉଣୀଙ୍କୁ ପ୍ରତିରକ୍ଷା ଆୟୋଗରେ ସାମିଲ୍ କରିଥିଲେ ଏବଂ ତାଙ୍କୁ ତାଙ୍କର ଟୁର ମ୍ୟାନେଜର କରିଥିଲେ। ୟୋ ଜଙ୍ଗ୍ ବିବାହିତ । ସେ ସେନା ମୁଖ୍ୟ ଚୋ ୟୋଙ୍ଗ-ହେଙ୍କ ପୁଅଙ୍କୁ ବିବାହ କରିଥିଲେ । କିନ୍ତୁ ଜାନୁଆରୀ ୨୦୧୩ରେ ସେ ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର କୌଣସି ସନ୍ତାନ ଅଛି କି ନାହିଁ ତାହା ଅସ୍ପଷ୍ଟ ।

ତେବେ ଦାବି କରାଯାଏ କି କିମ ତାଙ୍କ ଭଉଣୀଙ୍କ ପରାମର୍ଶରେ ପ୍ରତ୍ୟେକ ନିଷ୍ପତ୍ତି ନିଅନ୍ତି । ଏପରିକି ତାଙ୍କ ପୋଷାକ ତାଙ୍କ ଭଉଣୀ ହିଁ ସ୍ଥିର କରିଥାନ୍ତି । ଏଭଳି ସ୍ଥିତିରେ କିମ ଜଙ୍ଗଙ୍କ ସହ ଋଷରେ କିମ ୟୋଙ୍ଗଙ୍କ ଉପସ୍ଥିତି ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ପାଇଁ ବିପଦଠାରୁ କମ୍ ନୁହେଁ ।
You Can Read: