ଗଣତନ୍ତ୍ର ବଞ୍ଚାଇବାକୁ ହେଲେ ମୋଦୀଙ୍କୁ ହତ୍ୟା କର: ଏଭଳି ବୟାନ ଦେଇଥିବା କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ
12/12/2022 at 3:46 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା କଂଗ୍ରେସ ନେତା ରାଜା ପାଟେରିଆଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି। ଗଣତନ୍ତ୍ର ବଞ୍ଚାଇବାକୁ ହେଲେ ମୋଦୀଙ୍କୁ ହତ୍ୟା କର ବୋଲି ବିବାଦୀୟ ବୟାନ ଦେଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଓ ତଥା ବରିଷ୍ଠ କଂଗ୍ରେସ ନେତା ରାଜା ପାଟେରିଆ।
ଏହି ଘଟଣାକୁ ନେଇ ବିବାଦ ଦେଖା ଦେବା ପରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୟାନ ଦେଇ ବିବାଦରେ ଫସିବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ପାଟେରିଆ। ସେ କହିଛନ୍ତି ଯେ ତାଙ୍କ କହିବାର ଅର୍ଥ ଅଲଗା ଥିଲା। ହେଲେ କଥାକୁ କଦର୍ଥ କରି ଚିତ୍ରଣ କରାଯାଇଛି ବୋଲି ଶ୍ରୀ ପାଟେରିଆ କହିଛନ୍ତି।
ପାଟେରିଆ ଏକ ବୟାନରେ କହିଥିଲେ ଯେ ଦେଶରେ ଗଣତନ୍ତ୍ର ବଞ୍ଚାଇବାକୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ପଡ଼ିବ। ଏହି ଉପରେ ସେ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ହତ୍ୟା କହିବାର ଅର୍ଥ ଜୀବନରୁ ମାରିଦେବା ନୁହେଁ ବରଂ ଆଗାମୀ ନିର୍ବାଚନରେ ମୋଦୀଙ୍କୁ ପରାସ୍ତ କରିବା ଥିଲା। ହେଲେ କଥାକୁ ରେକର୍ଡ କରିଥିବା ବ୍ୟକ୍ତି ଏହାର ଅଲଗା ଅର୍ଥ ଖୋଲି ଚିତ୍ରଣ କରିଛନ୍ତି ବୋଲି ପାଟେରିଆ କହିଛନ୍ତି।
ସେ କହିଛନ୍ତି “ଏଭଳି କଥା ପାଟିରୁ ଖସିଯାଇଥି। କିନ୍ତୁ ଯେଉଁ ବ୍ୟକ୍ତି ଏହାକୁ ରେକର୍ଡ କରିଥିଲେ ସେ ଏହାର ଓଲଟା ଅର୍ଥ ବାହାର କଲେ।” ତେବେ କଂଗ୍ରେସ ନେତାଙ୍କର ଏଭଳି ବିବାଦୀୟ ବୟାନକୁ ନେଇ ଦଳକୁ ଟାର୍ଗେଟ୍ କରିଛି ବିଜେପି। କଂଗ୍ରେସ ମହତ୍ମା ଗାନ୍ଧୀଙ୍କ ଦଳ ନୁହେଁ ଏହା ମୁସୋଲିନଙ୍କ ଦଳ ବୋଲି କହିଛି ବିଜେପି।
ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି “ ମୁଁ ପାଟେରିଆଙ୍କ ମନ୍ତବ୍ୟ ଶୁଣିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଠାରୁ ଆସି ନାହିଁ, ବରଂ ମୁସୋଲିନଙ୍କ ଠାରୁ ଆସିଛି। କଂଗ୍ରେସ ଇଟାଲିରୁ ମୁସୋଲିନଙ୍କ ଆଦର୍ଶରୁ ଆସିଛି।” ଏଭଳି ବିବାଦୀୟ ବୟାନ ପାଇଁ ଏକ ମାମଲା ରୁଜୁ କରିବା ପାଇଁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନରୋତ୍ତମ ମିଶ୍ର କହିଛନ୍ତି।