ଭୁବନେଶ୍ୱର: ଧିରେ ଧିରେ କିଟ୍ ପାଇଁ ବଢୁଛି ଅଡୁଆ। ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ଇନ୍ଫୋସିଟି ଥାନା ପୋଲିସ। ଗତ ୧୭ ତାରିଖ ଛାତ୍ରଛାତ୍ରୀମାନେ ହଷ୍ଟେଲ ତଥା ଶିକ୍ଷାନୁଷ୍ଠାନ ପରିସର ଖାଲି କରୁଥିବାବେଳେ ଅଭିଯୁକ୍ତ ତଥା ଅନ୍ୟ କର୍ମଚାରୀମାନେ ହଠାତ ସେଠାରେ ପହଞ୍ଚି ଯଥାଶୀଘ୍ର ସେଠାରୁ ଚାଲିଯିବା ଲାଗି କହିଥିଲେ।
ଛାତ୍ରଛାତ୍ରୀମାନେ ହଷ୍ଟେଲ ଖାଲି କରିବାରେ ଟିକେ ବିଳମ୍ବ ହେବା ଦେଖି ଅଭିଯୁକ୍ତ ମାନେ ହଠାତ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବା ସହ ମାରପିଟ କରିଥିଲେ। ଫଳରେ ଛାତ୍ରଛାତ୍ରୀ ମାନେ ତୁରନ୍ତ ସେ ସ୍ଥାନ ଛାଡି ପଳାଇଯାଇଥିଲେ।
ଉକ୍ତ ଆକ୍ରମଣ ଘଟଣାର ସିସିଟିଭିଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ପୁଲିସ ପକ୍ଷରୁ ଦିଆଯାଇଥିବା ପ୍ରମାଣ ଗୁଡିକୁ ଆଧାର କରି ଅଦାଲତ ୫ଜଣ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ସେମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
ପୂର୍ବରୁ ପୋଲିସ ମଧ୍ୟ ସମାନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା। ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଛି` ଭୁବନେଶ୍ବର ଜେଏମଏଫ୍ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଥିଲେ।