ମୃତ୍ୟୁ ପରେ ବି ତନୁଜା ଅମର, କିଡନୀ ଦେଇ ଦୁଇ ଜଣଙ୍କୁ ଦେଇଗଲେ ବଞ୍ଚିବାର ରାହା

Published By : Prameya-News7 Bureau | March 29, 2023 IST

କଟକ ୩: ମୃତ୍ୟୁ ପରେ ଜଣେ ରୋଗୀଙ୍କ ୨ଟି କିଡ଼ନୀକୁ ଅନ୍ୟ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି । ଏ ସମସ୍ତ କାର୍ଯ୍ୟକୁ ସଫଳତାର ସହ କରିପାରିଛନ୍ତି କଟକ ଏସସିବି ମେଡ଼ିକାଲର ଅଭିଜ୍ଞ ଡାକ୍ତରୀ ଟିମ୍ । ପୂର୍ବରୁ ଏସସିବି ୟୁରୋଲୋଜି ବିଭାଗରେ ୪ଟି କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ହୋଇସାରିଛି । ତେବେ ସମସ୍ତ କେସ୍‌ରେ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ରୋଗୀଙ୍କ କିଡ଼ନୀ ଏସସିବି ଅଣାଯାଇ ଏହି ବିରଳ ସର୍ଜରୀ କରାଯାଇଛି । କିନ୍ତୁ ପ୍ରଥମ ଥର ପାଇଁ ଏସସିବିରେ ମୃତ୍ୟୁ ହୋଇଥିବା ରୋଗୀଙ୍କ କିଡ଼ନୀ ଦାନ ଯୋଗୁଁ ଏଠାରେ ଏହି ସର୍ଜରୀ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି ।

ସୂଚନାଯୋଗ୍ୟ ଯେ, ବ୍ରେନ୍ ଷ୍ଟ୍ରୋକ୍‌ରେ ପୀଡିତ ହୋଇ ସୋମବାର ଏସସିବିରେ ଭର୍ତ୍ତି ହୋଇଥିବା ଜଗତପୁର ଅଞ୍ଚଳର ତନୁଜା କରଙ୍କର ବ୍ରେନ୍ ଡେଡ୍ ହେବାରୁ ମଙ୍ଗଳବାର ମୃତ୍ୟପ ହୋଇଥିଲା । ଏସସିବି ଅଧୀକ୍ଷକ ନ୍ୟୁରୋ ସର୍ଜନ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ନେଫରୋଲୋଜି ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ୟୁରୋଲୋଜି ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ ପ୍ରମୁଖ କିଡ଼ନୀ ଦାନ ପାଇଁ ଅନୁରୋଧ କରିଥିଲେ । ପରିବାର ଲୋକଙ୍କ ସମ୍ମତି ପରେ ତନୁଜାଙ୍କ ଶରୀରରୁ ଦୁଇଟି କିଡ଼ନୀ କଢ଼ାଯାଇ ଦୁଇ କିଡ଼ନୀ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହି ଦୁଇ ଜଣ ବ୍ୟକ୍ତି ହେଲେ ଝାରସୁଗୁଡାର ଆଲୋକ ବୋଡାକ ଓ ସୂର୍ଯ୍ୟରଞ୍ଜନ ସାହୁ । ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି । ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ବିରଳ ଅପରେସନରେ ଡାକ୍ତର ଅରୁଣା ଆଚାର୍ଯ୍ୟଙ୍କ ସହିତ ୧୭ଜଣ ମେଡିକାଲ ଟିମ୍ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.