ସୁବର୍ଣ୍ଣପୁରରେ କିଡ଼ନୀ ରୋଗ ଆତଙ୍କ ; ୧୫ରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | June 18, 2018 IST

ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଂଚଳ ଦାଦରପାଲି ଗ୍ରାମରେ କିଡନୀ ରୋଗର ଆତଙ୍କ । ବିଗତ ୭ ବର୍ଷ ହେଲା କିଡନୀ ରୋଗରେ ପଡି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ଆହୁରୀ ୧୫ରୁ ଉର୍ଦ୍ଧ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଅଭିଯୋଗ ହୋଇଛି । ଫଳରେ ଅସୁଦ୍ଧ ପାଣି ପିଇବାକୁ ବାଧ୍ୟ ହୋଇ ଲୋକେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦାଦରପାଲି ଗାଁ । ପ୍ରାୟ ୨୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ମାତ୍ର ୩ ଟି ନଳକୂପ ରହିଛି । ହେଲେ ଗୋଟିଏ ବି ନଲକୂପର ପାଣି ପିଇବା ଯୋଗ୍ୟ ହୋଇପାରି ନାହିଁ । ଲୋକେ ବାଧ୍ୟ ହୋଇ ନଳକୂପର ଅଶୁଦ୍ଧ ପାଣି ପିଉଛନ୍ତି । ଉପାନ୍ତ ଅଂଚଳ ହୋଇଥିବାରୁ ଏହି ଗାଁଟି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହୁଥିବା ଅଭିଯୋଗ ହୋଇଛି । ବିଗତ ୭ ବର୍ଷ ହେଲା ଏହି ଗାଁରେ କିଡନୀ ରୋଗ ଆତଙ୍କ ଖେଳାଇ ଚାଲିଛି । ଏହି ରୋଗରେ ପଡି ଗାଁର ପ୍ରାୟ ୧୦ ଜଣ ମୃତ୍ୟୁ ମୂଖରେ ପଡିଲେଣି । ବର୍ତମାନ ମଧ୍ୟ ଆହୁରୀ ୧୫ ଜଣ ଆକ୍ରାନ୍ତ ରହିଛନ୍ତି । ଗରିବ ଅସହାୟ ଲୋକଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବଳେ ଯାହା ଥିଲା ସବୁ ବନ୍ଦକ ପକାଇ ଲୋକେ ସର୍ବସ୍ୱାନ୍ତ ହେଲେଣି । ଦାଦରପାଲି ଗାଁର ଏହି କିଡନୀ ରୋଗ ବାବଦକୁ ନେଇ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ବିଗତ ବର୍ଷ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଆସି ପାଣିର ସାମ୍ପୁଲ ନେଇ ଥିଲା । ହେଲେ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିପାରି ନାହିଁ । ତେବେ ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ପାଇଁ ଆଜି ଦାଦରପାଲି ଗାଁ ଲୋକେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଅପର ପକ୍ଷରେ ଦାଦରପାଲି ଗାଁରେ ବଢିଚାଲିଥିବା କିଡନୀ ରୋଗର ପ୍ରକୋପକୁ ରୋକିବାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିରାଚରିତ ଭାବରେ ଉତର ରଖିଛନ୍ତି ସ୍ଥାନୀୟ ସିଡିଏମଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.