ଭୁବନେଶ୍ବର ୧।୩ : ଦୀର୍ଘ ୯ ଦିନ ଧରି ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ପ୍ରଥମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ପାଇଁ ଦେଢଶହରୁ ଅଧିକ ବିଶ୍ବବିଦ୍ୟାଳୟରୁ ଆସିଥିବା ପାଖାପାଖି ୪ହଜାର ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର। ପ୍ରତିଯୋଗିତାରେ ଅନେକ ନୂଆ ନୂଆ ୟୁନିଭରସିଟି ରେକର୍ଡ ଓ ଜାତୀୟ ରେକର୍ଡ ସୃଷ୍ଟି ହୋଇଛି । ଏହାସହ ଏହି ଇଭେଣ୍ଟରୁ ଏନେକ ଖେଳାଳି ନିଜ ପ୍ରତିଭା ବଳରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ।
ଗତ ୨୨ ତାରିଖଠାରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଆଜି ଶେଷ ହୋଇଛି । ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ପ୍ରଥମ ସଂସ୍କରଣ ଓଡ଼ିଶାରେ ଖେଳାଯାଇଥିବା ବେଳେ ଏଥିରୁ ଅନେକ ଖେଳାଳି ନିଜର ପ୍ରତିଭା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ପ୍ରତିଯୋଗିତାରେ ସାବିତ୍ର ଫୁଲେ ପୁନେ ବିଶ୍ବବିଦ୍ୟାଳୟ ୧୬ଟି ସ୍ବର୍ଣ୍ଣ ସହ ୩୫ଟି ପଦକ ପାଇ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ବେଳେ ପଂଜାବ ୟୁନିଭରସିଟି ୧୫ଟି ସ୍ବର୍ଣ୍ଣ ସହ ୪୧ଟି ପଦକ ପାଇ ଦ୍ବିତୀୟ ଓ ପଟିଆଲାର ପଂଜାବୀ ୟୁନିଭରସିଟି ୧୦ଟି ସ୍ବର୍ଣ୍ଣ ସହ ୨୮ଟି ପଦକ ପାଇ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି।
ଅନ୍ୟପଟେ ଓଡ଼ିଶାରୁ ୫ଟି ବିଶ୍ବବିଦ୍ୟାଳୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଅଶଂଗ୍ରହଣ କରିଥିବା ବେଳେ ସେଭଳି କିଛି ଆଖି ଦୃର୍ଶିଆ ଖେଳ ଦେଖିବାକୁ ମିଳିନଥିଲା । କେବଳ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଶଂଗ୍ରହଣ କରିଥିବା ଦୂତୀ ଚାନ୍ଦଙ୍କୁ ଶହେ ମିଟର ଓ ଦୁଇ ଶହ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମିଳିଛି । କିଟ୍ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ସହ ୭ଟି ପଦକ ପାଇଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୩ଟି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୨ଟି ପଦକରେ ସନ୍ତୁଷ୍ଟ ହୋଇଛି।
ପ୍ରତିଯୋଗିତାରେ ୧୫୦ରୁ ଅଧିକ ୟୁନିଭରସିଟିରୁ ପାଖାପାଖି ୪୦୦୦ ଖେଳାଳି ଅଶଂଗ୍ରହଣ କରିଥିଲେ, ଯେଉଁଥିରେ ଏକାଧିକ ୟୁନିଭରସିଟି ରେକର୍ଡ ଓ ଜାତୀୟ ରେକର୍ଡ ଦେଖିବାକୁ ମିଳିଥିଲା ।