ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରେ ଦଳାଚକଟା, ୩ ଶ୍ରଦ୍ଧାଳୁ ମୃତ : ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮: ରାଜସ୍ଥାନର ସିକର ଜିଲ୍ଲାରେ ଥିବା ପ୍ରସିଦ୍ଧ ଖାଟୁଶ୍ୟାମ ମନ୍ଦିରରେ ଅଘଟଣ । ସୋମବାର ସକାଳୁ ମନ୍ଦିରରେ ଠେଲାପେଲାରେ ୩ ଜଣ ମହିଳା ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମୀ ଓ ସୁରକ୍ଷା କର୍ମୀ ସ୍ଥିତି ସମ୍ଭାଳିଥିଲେ । ତେବେ ଖାଟୁଶ୍ୟାମଜୀ ଥାନା ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।  

କୁହାଯାଉଛି ଯେ, ସକାଳ ୫ଟାରେ ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ପରେ ଭକ୍ତଙ୍କ ଗହଳି ଲାଗିଥିଲା । ଲୋକେ ଏଣେତେଣେ ଦଉଡି ଥିଲେ । ଏହି ସମୟରେ ଦଳାଚକଟା ହୋଇଥିଲା । କିଛି ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ତଳେ ପଡି ଯାଇଥିଲେ ।

ତୁରନ୍ତ ସୁରକ୍ଷାକର୍ମୀ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । କିନ୍ତୁ ସେତେବେଳକୁ ତିନି ଜଣ ପ୍ରାଣ ହରାଇ ସାରିଥିଲେ । ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚଯ ମିଳିବା ପରେ ଅନ୍ୟ ଦୁଇଜଣଙ୍କ ପରିଚୟ ଖୋଜାଚାଲିଛି ।

wp:html /wp:html

ତେବେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.