ଖଟିଆରେ ବୁହାହେଲେ ଗର୍ଭବତୀ, ନଦୀ ପାର୍ କରି ହସ୍ପିଟାଲ ନେଲେ ସଂପର୍କୀୟ

Published By : Prameya-News7 Bureau | June 28, 2022 IST

ଉମରକୋଟ ୨୮/୦୬: ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଗର୍ଭବତୀଙ୍କୁ ଖଟିଆରେ ବୋହି ଭରା ନଦୀ ପାର କଲେ ସଂପର୍କୀୟ । ଗାଁକୁ ରାସ୍ତା ନଥିବା ସହ ନଦୀରେ ପୋଲ ନିର୍ମାଣ ହୋଇପାରିନି । ତେଣୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡାହିମାଲ ଦୁଇମହାଲ ସାହିରେ । ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରାଙ୍କୁ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଉଷାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ ।

ନଳିନୀ ତୁରନ୍ତ ପହଞ୍ଚି ଉଷାବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବା ବେଳେ ବର୍ଷା ଯୋଗୁ ଏହି ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ନଦୀ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା । ପରେ ଆମ୍ବୁଲାନ୍ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ ।

ନଦୀ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ । ଉଷାବତୀଙ୍କୁ ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ବର୍ତ୍ତମାନ ନବଜାତ ଶିଶୁ ଓ ଉଷାବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.