କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଏବେ ମଇଦାନରେ ଖଡଗେ ଏବଂ ଥରୁର, ତୃତୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ଅନେକ କସରତ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ବର୍ତ୍ତମାନ ମଇଦାନରେ ଅଛନ୍ତି ଦୁଇ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର। ତୃତୀୟ ପ୍ରାର୍ଥୀ ଝାଡଖଣ୍ଡର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ କେଏନ ତ୍ରିପାଠୀଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଆଉ ଏହି ଦିନ  ଚିତ୍ର ସ୍ପଷ୍ଟ ହୋଇଯିବ ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବ କି ନାହିଁ। ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର ନକରନ୍ତି ତେବେ ନିର୍ବାଚନ ହେବ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ପ୍ରଭାରୀ ଦାୟିତ୍ଵରେ ଥିବା ମଧୁସୂଦନ ମିସ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତନ୍ନ ତନ୍ନ କରି ପ୍ରାର୍ଥୀ ପତ୍ର  ଯାଞ୍ଚ କରାଯାଇଛି। ଏଥିରେ ୨୦ ଫର୍ମ ମଧ୍ୟରୁ ଚାରୋଟିରେ ଫର୍ମରେ ଦସ୍ତଖତରେ ଭିନ୍ନତା ଦେଖିବାକୁ ମିଳିଛି। ଏହି କାରଣରୁ ଝାଡଖଣ୍ଡର ପ୍ରାର୍ଥୀ କେଏନ ତ୍ରିପାଠୀଙ୍କ ପ୍ରାର୍ଥୀ ପତ୍ର ରଦ୍ଦ କରାଯାଇଛି। ବର୍ତ୍ତମାନ ନିର୍ବାଚନରେ କେବଳ ଦୁଇ ଜଣ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର ରହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅକ୍ଟୋବର ୧୭ରେ ମତଦାନ ହେବ। ଅକ୍ଟୋବର ୧୯ରେ ରହିଛି ଭୋଟ୍ ଗଣତି। ନାମାଙ୍କନର ଶେଷ ତାରିଖ ଅର୍ଥାତ ସେପ୍ଟେମ୍ବର ୩୦ରେ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ଝାଡଖଣ୍ଡର କଂଗ୍ରେସ ନେତା କେଏନ ତ୍ରିପାଠୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଥରୁର ବର୍ତ୍ତମାନ କେରଳରୁ ଲୋକସଭା ସାଂସଦ ରହିଥିବା ବେଳେ ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାର ବିରୋଧୀ ଦଳ ନେତା।

କେଏନ ତ୍ରିପାଠୀ କିଏ ?

କୃଷ୍ଣାନନ୍ଦ ତ୍ରିପାଠୀ ଓରଫ କେଏନ ତ୍ରିପାଠୀ ହେଉଛନ୍ତି ଝାଡଖଣ୍ଡର। ସେ ରାଜନୀତିରେ ପାଦ ଥାପିବା ପୂର୍ବରୁ ବାୟୁସେନାରେ କାର୍ଯ୍ୟରତ ଥିଲେ। ପରେ ସେନାର ଚାକିରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୫ରେ କଂଗ୍ରେସ ଟିକେଟ୍‌ରେ ଡାଲଟନଙ୍ଗଜ ଆସନରୁ ନିର୍ବାଚନ ଲଢିଥିଲେ ହେଁ ପରାସ୍ତ ହୋଇଥିଲେ। ୨୦୦୯ରେ ପୁଣି ଉକ୍ତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ଜିତିବାରେ ସଫଳ ହୋଇଥିଲେ। ତାଙ୍କୁ ରାଜ୍ୟ ସରକାରରେ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଦାୟିତ୍ଵ ମିଳିଥିଲା। ତେବେ ୨୦୧୪ରେ ତାଙ୍କୁ ଉକ୍ତ ଆସନରୁ ପରାଜୟର ସ୍ଵାଦ ଚାଖିବାକୁ ପଡିଥିଲା.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.