ଚଳିତ ବର୍ଷ ରେକର୍ଡ ଛୁଇଁବ ଖାଦ୍ୟ ଶସ୍ୟ ଉତ୍ପାଦନ, ମହଙ୍ଗା ମାଡରୁ ମିଳିବ ମୁକ୍ତି

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ, ୨୦|୦୮:  ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ଏବେ ମୁଦ୍ରାସ୍ଫୀତି ଊଦ୍ଧ୍ୱର୍ମୁଖୀ । ଖାଦ୍ୟ ସଂକଟରେ କବଳିତ ବିଶ୍ୱ । ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ଥ । ଏଭଳି ସ୍ଥିତିରେ ଘରୋଇ ବଜାର ପାଇଁ ଖୁସି ଖବର । ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୧-୨୨ରେ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ ଛୁଇଁବ ।

ସରକାରୀ ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ଚାଉଳ, ଗହମ ଏବଂ ଡାଲି ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୧୫.୭ ନିୟୁତ ଟନ୍‌ ଛୁଇଁବ । ୨୦୨୦-୨୧ ତୁଳନାରେ ଏହା ୪.୯୮ ନିୟୁତ ଟନ୍‌ ଅଧିକ । ରୁଷ-ୟୁକ୍ରେନ ଯୁଦ୍ଧ ଫଳରେ ବିଶ୍ୱର ବିଭିନ୍ନ ଭାଗରେ ଅନେକ କୃଷି ଉତ୍ପାଦର ଯୋଗାଣ ବ୍ୟାହତ ହୋଇଥିବାବେଳେ ଏହି ରିପୋର୍ଟ ଦରବୃଦ୍ଧି ମଧ୍ୟରେ କଲବଲ ହେଉଥିବା ଦେଶର ସାଧାରଣ ଖାଉଟିଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

ସୂଚନାଯୋଗ୍ୟ, ଯୁଦ୍ଧ ଯୋଗୁ ବିଶ୍ୱ ଖାଦ୍ୟ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ଖାଦ୍ୟ ଏବଂ କୃଷି ସଂସ୍ଥାନ(ଏଫ୍‌ଏଓ)ର ଖାଦ୍ୟ ଦର ସୂଚକାଙ୍କ ୨୦୨୨ରେ ୧୩.୮%କୁ ବୃଦ୍ଧି ପାଇଛି । ଖାଦ୍ୟଶସ୍ୟ, ତୈଳ ଏବଂ ଦୁଗ୍ଧଜାତ ସାମଗ୍ରୀ ଦର ବୃଦ୍ଧି ଫଳରେ ବିଶ୍ୱ ବଜାରରେ ଖାଦ୍ୟ ଦର ବଡ଼ ମାତ୍ରାରେ ବୃଦ୍ଧି ପାଇଛି ।

ଘରୋଇ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛ । ଅନ୍ତର୍ଜାତୀୟ ବଜାରରେ ବର୍ଦ୍ଧିତ ଦରର ଲାଭ ଉଠାଇବା ପାଇଁ ଗହମ ଏବଂ ଚିନି ଉତ୍ପାଦନକାରୀମାନେ ସେମାନଙ୍କ ରପ୍ତାନି ପରିମାଣ ବଢ଼ାଇଦେବା ଫଳରେ ଘରୋଇ ବଜାରରେ ଏସବୁ ସାମଗ୍ରୀ ଦର ବଡ଼ ମାତ୍ରାରେ ବଢ଼ିଥିଲା । ଘରୋଇ ବଜାରରେ ଯୋଗାଣ ଅଭାବ ସ୍ଥିତି ଉପୁଯିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରପ୍ତାନି କଟକଣା ଲାଗୁ କରିଥିଲେ ।

ତେବେ ରପ୍ତାନି କଟକଣା ପୂର୍ବରୁ ଅର୍ଥାତ ଜାନୁଆରୀ-ଏପ୍ରିଲରେ ଦେଶର ହାରାହାରି ଗହମ ରପ୍ତାନି ପରିମାଣ ୯୦୩,୬୯୦ ଟନ୍‌ ଥିଲା, ଯାହାକି ୨୦୨୧ ତୁଳନାରେ ଅନେକ ମାତ୍ରାରେ ଅଧିକ । ସୂଚନାଯୋଗ୍ୟ, ୨୦୨୧ରେ ଦେଶରୁ ମୋଟ ୫୧୫,୨୬୭ ଟନ୍‌ ଗହମ ରପ୍ତାନି ହୋଇଥିଲା ।

ଟଙ୍କାର ବିନିମୟ ମୂଲ୍ୟ ଖସିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ବର୍ଦ୍ଧିତ ଦର ଆମଦାନି ବିଲ୍‌ ବଢ଼ାଇଥିଲା । ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଏହାର ପ୍ରଭାବ ପଡ଼ିଥିବା ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ତେବେ ୨୦୨୧-୨୨ରେ ଉତ୍ପାଦନ ହେବାକୁ ଥିବା ୩୧୫.୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ ବର୍ଷରେ ଦେଶର ହାରାହାରି ଖାଦ୍ୟଶସ୍ୟ ଉତ୍ପାଦନ ତୁଳନାରେ ୨୫ ନିୟୁତ ଟନ୍‌ ଅଧିକ । କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ୨୦୨୧-୨୨ରେ ରେକର୍ଡ ପରିମାଣର ଚାଉଳ, ମକା, ଚଣା, ଡାଲି, ସୋରିଷ, ତୈଳବୀଜ ଏବଂ ଆଖୁ ଉତ୍ପାଦନ ହେବ ।ଆଲୋଚ୍ୟ ଆର୍ଥିକବର୍ଷରେ ରେକର୍ଡ ୧୩୦.୨୯ ନିୟୁତ ଟନ୍‌ ଚାଉଳ ଏବଂ ୧୦୬.୮୪ ନିୟୁତ ଟନ୍‌ ଗହମ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରାଳୟ ଆକଳନ କରିଛି । ତେବେ ରେକର୍ଡ ୩୭.୭ ନିୟୁତ ଟନ୍‌ ତୈଳବୀଜ ଉତ୍ପାଦନ ହେବ ବୋଲି ଏହା ଅନୁମାନ କରିଛି ।

ସେହିଭଳି ୨୦୨୧-୨୨ରେ ୨୭.୬୯ ନିୟୁତ ଟନ୍‌ ଡାଲି ଉତ୍ପାଦନ ହେବ ବୋଲି ଅନୁମାନ କରାଯାଇଛି । ଗତ ୫ ବର୍ଷର ହାରାହାରି ବାର୍ଷିକ ଉତ୍ପାଦନ ତୁଳନାରେ ଏହା ୩.୮୭ ନିୟୁତ ଟନ୍‌ ଅଧିକ । ନରେନ୍ଦ୍ର ମୋଦି ସରକାରଙ୍କ ଚାଷୀ-ଅନୁକୂଳ ନୀତି, କୃଷକମାନଙ୍କ କଠିନ ପରିଶ୍ରମ ଏବଂ ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁ ରେକର୍ଡ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆସାମ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣା ଭଳି ଚାଉଳ ଉତ୍ପାଦନକାରୀ ରାଜ୍ୟରେ କମ୍‌ ବିହନ ବୁଣାଯାଇଛି । ଏଥିମଧ୍ୟରୁ ଅଧିକାଂଶ ରାଜ୍ୟରେ ଏ ବର୍ଷ ଅଭାବୀ ବର୍ଷା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.