KGFର ଆକ୍ଟର କୃଷ୍ଣା ଜୀ ରାଓଙ୍କ ପରଲୋକ, ୟଶଙ୍କ ସହ ସୁଟିଂ କରିଥିଲେ ସ୍ମରଣୀୟ ସିନ୍
7/12/2022 at 9:45 PM

ନୂଆଦିଲ୍ଲୀ: ସାଉଥ ସୁପର ଷ୍ଟାର ଅଭିନେତା ୟଶଙ୍କ ଫିଲ୍ମ କେଜିଏଫରେ ଅଭିନୟ କରିଥିବା ଅଭିନେତା କୃଷ୍ଣା ଜୀ ରାଓଙ୍କ ୭୦ ବର୍ଷ ବୟସରେ ପରଲୋକ ଘଟିଛି। କୃଷ୍ଣା ଗତ କିଛି ସମୟ ଧରି ରୋଗାକ୍ରାନ୍ତ ଥିଲେ ଏବଂ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ। ବାର୍ଦ୍ଧକ୍ୟଜନିତ ଉପୁଜିଥିବା ଅନେକ ଶାରୀରିକ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତାଙ୍କୁ ବେଙ୍ଗାଲୁରୁରେ ସୀତା ସର୍କିଲ ନିକଟସ୍ଥ ବିନାୟକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ୟଶଙ୍କ ପ୍ରଶଂସକଙ୍କୁ ଫିଲ୍ମର ପ୍ରଥମ ପାର୍ଟ କେଜିଏଫରେ ଉକ୍ତ ଅନ୍ଧ ବୃଦ୍ଧ ବ୍ୟକ୍ତିଙ୍କ ଚରିତ୍ର ନିଶ୍ଚୟ ମନେ ଥିବ। ଯାହାଙ୍କୁ ଗୁଣ୍ଡାମାନେ ଖଣି ଭିତରେ କାମ କରୁଥିବା ବେଳେ ମାରିବା ପାଇଁ ଭିତରକୁ ନେଇ ଯାଉଥିବେ। ସେହି ସମୟରେ ରକି କେବଳ ଉକ୍ତ ବୃଦ୍ଧଙ୍କୁ ବଞ୍ଚାଇ ନଥିଲେ ବରଂ ଗୁଣ୍ଡାମାନଙ୍କୁ ମାରି ଖଣିରେ କାମ କରୁଥିବା ଅନ୍ୟ ଶ୍ରମିକଙ୍କ ମନରୁ ଭୟ ଦୂର କରିଥିଲେ, ଯେଉଁମାନ ସର୍ବଦା ନିର୍ଯ୍ୟାତନା ଭୋଗି ଆସୁଥିଲେ।
ସୂଚନାଯୋଗ୍ୟ, ନିକଟରେ କୃଷ୍ଣା ନିଜର ସଂପର୍କୀୟଙ୍କ ଘରକୁ ଯାଉଥିବା ସମୟରେ ଥକ୍କାପଣ ଏବଂ ବିଚଳିତ ଲାଗୁଥିବା କହିଥିଲେ। ଏହା ପରେ ମଧ୍ୟରାତ୍ରିରେ ଏକ ନିକଟସ୍ଥ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା।
କୃଷ୍ଣା ନିଜ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି। ହେଲେ କେଜିଏଫ ପରେ ତାଙ୍କୁ ସମଗ୍ର ଦେଶରେ ଲୋକପ୍ରିୟ ହୋଇଥିଲେ। କେଜିଏଫ ପରେ ତାଙ୍କୁ ୩୦ରୁ ଅଧିକ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା।