ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଜମ ଚୀମାର ମୃତ୍ୟୁ

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ପାକିସ୍ତାନୀରେ ପୁଣି ଜଣେ ଭାରତର ଶତ୍ରୁର ମୃତ୍ୟୁ।  ଲସ୍କର ଇ-ତାଇବାର ବରିଷ୍ଠ କମାଣ୍ଡର ତଥା ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଆଜମ ଚୀମାର ମୃତ୍ୟୁ ହୋଇଛି। ପାକିସ୍ତାନର ଫୈସଲବାଦ ସହରରେ ହୃଦ୍‌ଘାତରେ ତାର ମୃତ୍ୟୁ ହୋଇଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀମା ୨୦୦୬ରେ ମୁମ୍ବାଇରେ ହୋଇଥିବା ଟ୍ରେନ୍‌ରେ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ଥିଲା। ଏହି ଘଟଣାରେ ୧୮୮ ଜଣଙ୍କର ମୃତ୍ୟୁ ହୋଇଥିଲା। ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୦୮ରେ ମୁମ୍ବାଇ ଉପରେ ଆକ୍ରମଣ କରିବା ପାଇଁ ଚୀମା ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଇଥିଲା।

ପଢନ୍ତୁ-ଝାଡଖଣ୍ଡରେ ସ୍ପେନ୍ ମହିଳାଙ୍କ ସହ ଗଣଦୁଷ୍କର୍ମ, ବାଇକ୍ ଚଳାଇ ନିଜେ ପହଞ୍ଚିଲେ ହସ୍ପିଟାଲ

ଏହି ଅଭିଯୋଗରେ ଆମେରିକା ଚୀମାକୁ ୱାଣ୍ଟେଡ୍ ଘୋଷଣା କରିଥିଲା।  ମୁମ୍ବାଇ ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୬ ଜଣ ଆମେରିକା ନାଗରିକ ମଧ୍ୟ ରହିଥିଲେ।  ତେବେ ଗୁରୁବାର ଚୀମାର ମୃତ୍ୟୁ ହୋଇଛି। ଫୈସଲାବାଦର ମାଲଖନୱାଲାରେ ତାର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନା ମିଳିଛି।

ସୂଚନା ଥାଉକି ୨୫ ନଭେମ୍ବର ୨୦୦୮ରେ ୧୦ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ମାର୍ଗ ଦେଇ ଦକ୍ଷିଣ ମୁମ୍ବାଇ ଏରିଆରେ ପ୍ରବେଶ କରିଥିଲେ। ଏକାଧିକ ସ୍ଥାନରେ ଏମାନେ ଆକ୍ରମଣ କରିଥିଲେ। ମୁମ୍ବାଇର ତାଜ ମହଲ ପ୍ୟାଲେସ ହୋଟେଲ୍‌ରେ ମଧ୍ୟ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣରେ  ମୋଟ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.