Tiktok ଉପରେ ବଢୁଛି ଚାପ, କମ୍ପାନୀରୁ ଇସ୍ତଫା ଦେଲେ CEO
27/08/2020 at 4:49 PM

ନୂଆଦିଲ୍ଲୀ ୨୭।୮: ସୀମାରେ ଉତ୍ତେଜନାକୁ ନେଇ ଭାରତର ପଦକ୍ଷେପ ଚୀନ୍ ସର୍ଟ ଭିଡିଓ ମେକିଙ୍ଗ ଆପ୍ ଟିକଟକ୍କୁ ତଳିତଳାନ୍ତ କରିଦେଇଛି। ଏପରି ଚୀନ୍ କମ୍ପାନୀଙ୍କ ଯୋଗୁ ଦେଶର ସୁରକ୍ଷା ପ୍ରଭାବିତ ହେବା ଆଶଙ୍କାରେ ଭାରତ ସରକାର ଟିକଟକ୍ ସମେତ ଅନେକ ଚୀନ୍ ଆପ୍କୁ ନିଷିଦ୍ଧ କରିଦେଇଥିଲେ। ଯାହାକୁ ଏବେ ବିଶ୍ୱ ଅନୁକରଣ କରିବା ଆରମ୍ଭ କରିଛି। ଫଳରେ ଆମେରିକାର ଚାପ ଯୋଗୁ ନିକଟରେ ଟିକଟକ୍ରେ ଯୋଗଦେଇଥିବା କେଭିନ ମେୟର ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ଗୁରୁବାର ଘୋଷଣା କରିଛନ୍ତି।

ମେୟର ପୂର୍ବରୁ ଡିଜନୀ କମ୍ପାନୀର ସିଇଓ ଅବସ୍ଥାପିତ ଥିଲେ। ତେବେ ଗତ ମେ ମାସରେ ସେ ଇସ୍ତଫା ଦେଇ ଟିକଟକ୍ର ସିଇଓ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଚୀନ୍ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ଯୋଗୁ ଟିକଟକ୍ ସମ୍ମୁଖୀନ ହୋଇଥିବା ଚାପ ଯୋଗୁ ମେୟର ମାତ୍ର ୩ ମାସରେ ଚାକିରୀ ଛାଡିଦେଇଛନ୍ତି। ଭାରତ ଭଳି ଆମେରିକା ମଧ୍ୟ ଦେଶରେ ଟିକଟକ୍କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛି। ତେବେ କୌଣସି ଆମେରିକୀୟ କମ୍ପାନୀଙ୍କୁ ଯଦି ଏହା ବିକ୍ରି ହୋଇଯାଏ ତେବେ ସରକାର କଟକଣା ଲଗାଇବେ ନାହିଁ ବୋଲି କହିଛନ୍ତି।

ଏଥିଲାଗି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଟିକଟକ୍ ଲାଗି ସମୟ ସୀମା ମଧ୍ୟ ନିର୍ଦ୍ଧାରଣ କରିଦେଇଛନ୍ତି। ୯୦ ଦିନ ମଧ୍ୟରେ କମ୍ପାନୀ ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଏ ତେବେ ଭାରତ ଭଳି ଆମେରିକାରେ ମଧ୍ୟ ଏହା ନିଷିଧ ହୋଇଯିବ। ଏଥିଲାଗି ଚାପ ବଢି ବଢି ଚାଲିଥିବା ବେଳେ ସିଇଓ କେଭିନ ମେୟର ଶେଷରେ ଇସ୍ତଫା ଦେଇଥିବା କର୍ମଚାରୀଙ୍କୁ ଏକ ପତ୍ର ମାଧ୍ୟମରେ ସୂଚିତ କରିଛନ୍ତି।