RTI ରିପୋର୍ଟ: ଗୁରୁବାୟୁର ମନ୍ଦିରରେ ଅଛି ୨୬୦ କେଜି ସୁନା, ଆହୁରି ଅନେକ ସମ୍ପତ୍ତି
22/01/2023 at 6:49 PM

ଥିରୁଭନନ୍ତପୁରମ: ନିକଟରେ କେରଳର ଗୁରୁବାୟୁର ମନ୍ଦିରରେ ୧,୭୦୦ କୋଟି ବ୍ୟାଙ୍କ ଡିପୋଜିଟ୍ ୨୫୦ ଏକରରୁ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସେହିପରି ମନ୍ଦିରରେ ୨୬୦ କେଜି ସୁନା ରହିଛି ବୋଲି ଏବେ ଜଣାପଡ଼ିଛି। ଏକ ଆର୍ଟିଆଇ ତଥ୍ୟରୁ ଏହି ସୂଚନା ମିଲିଛି।
ମନ୍ଦିରରେ ଗଚ୍ଛିତ ସୁନା ନେଇ ଆର୍ଟିଆଇ ଆଇନ୍ ଅନୁସାରେ ତଥ୍ୟ ମଗାଯାଇଥିଲା। ଏହାର ଉତ୍ତର ଦେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ ଆମ ପାଖରେ ୨୬୩.୬୩୭ ସୁନା ରହିଛି। ଯେଉଁଥିରେ ମୂଲ୍ୟବାନ ପଥର ଓ ସ୍ୱର୍ଣ୍ଣ ମୁଦ୍ରା ବି ରହିଛି। ପାଖାପାଖି ୨୦ ହଜାର ସୁନା ଲକେଟ୍ ମନ୍ଦିର ପାଖରେ ରହିଛି। ତେବେ ସୁରକ୍ଷା କାରଣରୁ ମନ୍ଦିର କର୍ତ୍ତପକ୍ଷ ଗଚ୍ଛିତ ସୁନା ନେଇ ସୂଚନା ଦେଉ ନଥିଲା। ହେଲେ ଏବେ ଆଇନ ଅନୁସାରେ ତଥ୍ୟ ଦେବାକୁ ପଡ଼ିଛି।
ଆର୍ଟିଆଇ ଆବେଦନର ଉତ୍ତରରେ କୁହାଯାଇଛି ଯେ ମନ୍ଦିର ପାଖରେ ୬,୬୦୫ କେଜି ରୁପା, ୧୯,୯୮୧ଟି ସୁନା ଲକେଟ୍ ଏବଂ ୫,୩୫୯ ରୁପା ଲକେଟ୍ ରହିଛି। ତେବେ ଏସବୁର ମୂଲ୍ୟ ଖୁଲାସା ହୋଇ ନାହିଁ । କାରଣ କିଛି ଗହଣାର ପ୍ରଚୀନତା କେତେ ତାର ମୂଲ୍ୟାୟାନ କରାଯାଇ ନାହିଁ।
ଗତବର୍ଷ ଡିସେମ୍ବର ମାସରେ ଆର୍ଟିଆଇ ତଥ୍ୟରେ ମନ୍ଦିର ବ୍ୟାଙ୍କ ଜମାରାଶି ଓ ଜମି ସମ୍ପତ୍ତି ଜଣାପଡ଼ିଥିଲା। ମନ୍ଦିରର ୧୭୩୭.୦୪ କୋଟି ନଗଦ ଟଙ୍କା ବ୍ୟାଙ୍କରେ ଜମା ଥିବା ବେଳେ ୨୭୧.୦୫ ଏକର ଜମି ଥିଲା ବୋଲି ମନ୍ଦିର କର୍ତ୍ତପକ୍ଷ କହିଥିଲେ। ତେବେ ଏସବୁର ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ।
ଶତାବ୍ଦୀ ପୁରୁଣା ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ କୃଷ୍ଣ ଅବତାରରେ ପୂଜା କରାଯାଉଛି। ପ୍ରତି ବର୍ଷ ବହୁ ସଂଖ୍ୟାରେ ଲୋକେ ଏଠାକୁ ଆସୁଛନ୍ତି। ତେବେ ମନ୍ଦିରର ବିକାଶ ଓ ଶ୍ରଦ୍ଧାଳୁଙ୍କ ପ୍ରତି ହେଉଥିବା ଅବ୍ୟବସ୍ଥାକୁ ଦେଖି ପ୍ରୋପର ଚ୍ୟାନେଲ୍ର ଅଧ୍ୟକ୍ଷ ଏମ୍କେ ହରିଦାସ ଆର୍ଟିଆଇ ଆବେଦନ କରିଥିଲେ। ତାଙ୍କ ଆବେଦନରେ ମନ୍ଦିରର ସମ୍ପତ୍ତି ଜଣାପଡ଼ିଛି। ହେଲେ ଏହାର ମୂଲ୍ୟାୟନ ଏବେ ବି କରାଯାଇ ନାହିଁ।