ଇରାନ କବଳରୁ ସୁରକ୍ଷିତ ଭାରତ ଫେରିଲେ କେରଳ ମହିଳା; ବାକି ୧୬ ଜଣଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

Published By : Prameya-News7 Bureau | April 18, 2024 IST

indiatoday

ନୂଆଦିଲ୍ଲୀ: ନିକଟରେ ଇରାନ କବ୍ଜା କରି ନେଇଥିବା ଜାହାଜ ଏମ୍‌ଏସ୍‌ସି ଏରିସ୍‌ରେ ଥିବା ୧୭ ଭାରତୀୟଙ୍କ ମଧ୍ୟରୁ କେରଳ ମହିଳା ଅନ୍‌ ଟେସା ଜୋସେଫ୍ ସୁରକ୍ଷତି ଭାବେ ଭାରତ ଫେରିଛନ୍ତି। ଗୁରୁବାର ସେ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବାକି ୧୬ ଜଣଙ୍କ ଉଦ୍ଧାର ପାଇଁ ଇରାନ ସହ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି ଭାରତ ସରକାର କହିଛନ୍ତି। 

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି “ ତେହେରାନ୍‌ରେ ଭାରତୀୟ ମିଶନ ଓ ଇରାନ ସରକାରଙ୍କର ପ୍ରାୟସରେ ଭାରତୀୟ ଡେକ୍ କ୍ୟାଡେଟ୍ କେରଳ ତ୍ରିସୁରର ଆନ ଟେସା ଜୋସେଫ୍‌ ଭାରତ ଫେରିଛନ୍ତି। ଅନ୍ୟ ୧୬ ଭାରତୀୟଙ୍କ ସହ ଜୋସେଫ୍ ମଧ୍ୟ ଏମ୍‌ଏସ୍‌ସି ଏରିସ୍ ଜାହାଜରେ ଫସିଥିଲେ।”

ପଢ଼ନ୍ତୁ- ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ? ଶିଶୁ ସମେତ ୧୧ ମୃତ

ବାକି ୧୬ ଜଣ ଭାରତୀୟଙ୍କୁ ଆଣିବାକୁ ତେହେରାନ୍‌ରେ ଭାରତ ମିଶନ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଇରାନ ପ୍ରତିପକ୍ଷ ଅମୀର ଅବଦୋଲ୍ଲାହିଆନଙ୍କ ସହ କଥା ହୋଇଛନ୍ତି। ଇରାନ୍ କବ୍ଜାରେ ଥିବା ଭାରତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସେମାନେ ତାଙ୍କ ପରିବାରଙ୍କ ସହ ନିୟମିତ କଥା ହେଉଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି।  

ଏହା ପୂର୍ବରୁ ମଙ୍ଗଳବାର ଭାରତରେ ଥିବା ଇରାନ ରାଷ୍ଟ୍ରଦୂତ ଇରାଜ ଇଲାହୀ ଫସିଥିବା ୧୭ ଭାରତୀୟଙ୍କ ବିଷୟରେ ସୂଚନା ଦେଇଥିଲେ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ପର୍ସିଆନ ଉପକୂଳରେ ପାଣିପାଗ ଭଲ ନାହିଁ। ପାଣିପାଗରେ ସୁଧାର ଆସିଲେ ଭାରତୀୟଙ୍କୁ ସୁରକ୍ଷିତ ଘରକୁ ପଠାଇ ଦିଆଯିବ ବୋଲି ଇରାଜ କହିଥିଲେ।

ସୂଚନା ଥାଉକି ଇରାନ ଇସ୍ରାଏଲ ସମ୍ପର୍କ ଖରାପ ହେବା ପରେ ଏପ୍ରିଲ ୧୩ ତାରିଖରେ ଏକ ଜାହାଜକୁ କବ୍ଜା କରିନେଇଥିଲା। ଏଥିରେ  ୧୭ ଭାରତୀୟ ନାଗରିକ ରହିଥିଲେ। ପରେ ଇରାନ ଇସ୍ରାଏଲ୍ ଉପରେ ୩୦୦ ମିସାଇଲ୍ ମାଡ଼ କରିଛି। ବର୍ତ୍ତମାନ ଇସ୍ରାଏଲ୍ ଏହାର ପ୍ରତିଶୋଧ ନେବାର ଯୋଜନା ଚଳାଇଛି।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.