କେରଳ ପୋଲିସର ‘ହ୍ୟାଣ୍ଡ ଓ୍ବାସିଂ’ ଡ୍ୟାନ୍ସ… ଭିଡିଓ ଭାଇରାଲ୍

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୩: କରୋନା ଭାଇରସ୍ ଏବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନ ସମଗ୍ର ବିଶ୍ବର ସ୍ବାସ୍ଥ୍ୟସେବା ବିଶେଷଜ୍ଞମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କହୁଛନ୍ତି । ତନ୍ମଧ୍ୟରୁ ମୁଖ୍ୟ ହେଉଛି ହାତ ଧୋଇବା । ଏବେ ହାତ ଧୋଇବା ସମ୍ବନ୍ଧୀୟ ଅନେକ ସଚେତନତା ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଯେଉଁଥିରୁ ଆମେ ଜାଣିବାକୁ ପାଉଛେ ଯେ, କେଉଁଭଳି ଉପାୟରେ ହାତ ଧୋଇବା ଉଚିତ୍ ବୋଲି । ଏହିସବୁ ସଚେତନତା ବାର୍ତ୍ତା ସବୁ ବର୍ଗର ଲୋକ ବାଣ୍ଟୁଥିବା ଦେଖିବାକୁ ମଧ୍ୟ ମିଳୁଛି ।

ଏଭଳି ସଚେତନତା ବାର୍ତ୍ତା ବାଣ୍ଟିବାରେ ଏବେ ସାମିଲ ହୋଇଛି କେରଳ ପୋଲିସ । କେରଳର ପୋଲିସ୍ ମିଡିଆ ସେଣ୍ଟର ଫେସବୁକ୍ ପେଜ୍ ରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ପୋଲିସ୍ ଅଧିକାରୀମାନେ ହାତ ଧୋଇବାର ସଠିକ୍ ଉପାୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏକ ମଜାଳିଆ ନୃତ୍ୟ କରି ସେମାନେ ଏଭଳି ଭିଡିଓଟି ପୋଷ୍ଟ କରିଛନ୍ତି ।

ଭିଡିଓରେ ୬ଜଣ ପୋଲିସ ଅଧିକାରୀ ମୁହଁରେ ମାସ୍କ ପିନ୍ଧି ଆୟାପାନନ କୋଶିୟମର କାଳାକଥାରେ ନୃତ୍ୟ କରୁଥିବାର ଦେଖାଯାଇଛି । ଭିଡିଓରେ ସେମାନେ ଗୋଟିଏ ହାତ ଧୋଇବାର ସଠିକ୍ ଉପାୟ ପ୍ରଦର୍ଶନ କରୁଛନ୍ତି।

ଏହି ଭିଡିଓଟି ୩୩,୦୦୦ରୁ ଅଧିକ ସେୟାର ଏବଂ ୨୪,୦୦୦ରୁ ଅଧିକ କମେଣ୍ଟ ଏବଂ ୨୭,୦୦୦ ଲାଇକ୍ ପାଇଛି | କେରଳ ପୋଲିସର ଏଭଳି ଉଦ୍ୟମ ଏବଂ ପଦକ୍ଷେପକୁ ପ୍ରଶଂସା କରି ଭିଡିଓଟି ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ପାଉଛି ।

ଜଣେ ଫେସବୁକ ୟୁଜର୍ସ କହିଛନ୍ତି ଯେ, କେରଳ ପୋଲିସର ସୃଜନଶୀଳ ଧାରଣାକୁ ମୁଁ ବହୁତ ପ୍ରଶଂସା କରୁଛି ଏବଂ କରୋନା ଭାଇରସର ଭଳି ବିଶ୍ବ ବିପଦ ବିରୋଧରେ ଲଢିବା ପାଇଁ ସାମାଜିକ ସଚେତନତା ପାଇଁ କଳାତ୍ମକ ଉପସ୍ଥାପନାରେ ଅଂଶଗ୍ରହଣ କରିଥିବା ସଦସ୍ୟମାନଙ୍କୁ ବିଶେଷ ଧନ୍ୟବାଦ। ଆଉ ଜଣେ ୟୁଜର୍ସ କହିଛନ୍ତି ଯେ, ‘ଓ୍ବା... ସୁନ୍ଦର କୋରିଓଗ୍ରାଫି । ଅନ୍ୟ ଜଣେ କହିଛନ୍ତି, ‘ଉତ୍ତମ ପଦକ୍ଷେପ ।’

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.