ନୂଆଦିଲ୍ଲୀ ୦୮/୦୮: ସାରା ବିଶ୍ୱରେ ମଙ୍କିପକ୍ସର ଆତଙ୍କ ଦେଖାଦେଇଛି । ଭାରତରେ ମଧ୍ୟ ଏହି ଘାତକ ଭାଇରସ କାୟା ମେଲାଇବାରେ ଲାଗିଛି । ଏହାମଧ୍ୟରେ କେରଳରେ ଜଣେ ୭ ବର୍ଷର ଶିଶୁଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ଶିଶୁଟି ନିକଟରେ ବ୍ରିଟେନରୁ ଫେରିଥିଲା । ତେବେ ଲକ୍ଷଣ ଦେଖାଯିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାର ରକ୍ତ ନମୂନାକୁ ପରୀକ୍ଷଣ ପାଇଁ ପଠାଯାଇଛି ।
ସୂଚନାନୁସାରେ, ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା କେରଳରୁ ଆସିଥିଲା । ତେବେ ପୂର୍ବରୁ ଆସିଥିବା ଦୁଇଟି ମାମଲାକୁ ବିଶ୍ଲେଷଣ କରିବା ପରେ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ କହିଛି ଯେ, ଉଭୟ ଆକ୍ରାନ୍ତ ୟୁଏଇରୁ ଫେରିଥିଲେ । ସେମାନଙ୍କଠାରେ ଏ୨ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଯାହା ୟୁରୋପରେ ବ୍ୟାପୁଥିବା ଷ୍ଟ୍ରେନଠୁ ଅଲଗା । ଏ୨ ଷ୍ଟ୍ରେନ୍ ଗତବର୍ଷ ଆମେରିକାରୁ ମିଳିଥିଲା । ଏହାଦ୍ୱାରା ଅଧିକ ବ୍ୟକ୍ତି ସଂକ୍ରମିତ ହେଇ ନାହାଁନ୍ତି ।
ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବରିଷ୍ଠ ବୈଜ୍ଞାନିକ ଡ. ପ୍ରଜ୍ଞା ଯାଦବ କହିଛନ୍ତି ଯେ, ଏବେ ବି୧ ଷ୍ଟ୍ରେନ୍ ଦ୍ୱାରା ଅଧିକରୁ ଅଧିକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଭାରତରେ ଏବେସୁଦ୍ଧା ୯ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । କେରଳରେ ଯେଉଁ ଦୁଇଜଣ ଚିହ୍ନଟ ହୋଇଥିଲେ ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା ।
ସେ ଆହୁରି କହିଛନ୍ତି ଯେ, ସେମାନଙ୍କ ମାଂସପେଶୀରେ ବି କଷ୍ଟ ଅନୁଭବ ହେଉଥିଲା । ସେମାନଙ୍କ ନମୂନା ଯାଞ୍ଚ ବେଳେ ଏହା ଜେନୋମ୍ ସିକ୍ୟୋଏନ୍ସ ଏମବିଏକ୍ସଭି-ୟୁଏସଏ-୨୦୨୨ ଓ ଏଫଏଲ୦୦୧ ପଶ୍ଚିମ ଆଫ୍ରିକୀୟ ଷ୍ଟ୍ରେନ୍ ସହ ମେଳ ଖାଉଥିଲା ବୋଲି ସେ କହିଛନ୍ତି ।