ସନ୍ଧ୍ୟାରେ ମାଆଙ୍କୁ ଫୋନ୍ କରିଥିଲେ, ରାତିରେ ଝରକା ରେଲିଂରେ ଝୁଲୁଥିଲା ମଡେଲ ତଥା ଅଭିନେତ୍ରୀଙ୍କ ମୃତଦେହ

Published By : Prameya-News7 Bureau | May 13, 2022 IST

କୋଝିକୋଡ଼େ: ଗୁରୁବାର ସନ୍ଧ୍ୟାରେ ଅଭିନେତ୍ରୀ ତଥା ମଡେଲ ଶାହାନା ତାଙ୍କ ମାଆଙ୍କୁ ଫୋନ୍ କରିଥିଲେ। ଜନ୍ମଦିନ ପାଳନ କରିବା ପାଇଁ ସେ ଘରକୁ ଆସୁଛନ୍ତି ବୋଲି କହିଥିଲେ। ଘରକୁ ଆସିବା ଖୁସୀରେ ତାଙ୍କ ପାଦ ତଳେ ଲାଗୁନଥିଲା। ହେଲେ ସନ୍ଧ୍ୟାଯାଇ ରାତି ହେଲା, ଶାହାନା ଆସିଲେନି। ରାତିରେ ସେ ରହୁଥିବା ବିଲ୍‌ଡିଂର ଝରକା ରେଲିଂରେ ଝୁଲୁଥିଲା ତାଙ୍କ ମୃତଦେହ।

କେରଳର କୋଝିକୋଡ଼େ ଜିଲ୍ଲା ଠାରୁ ୧୪ କିମି ଦୂରରେ ଥିବା ପରମବିଲ ବଜାରରେ ଏଭଳି ଘଟଣା ଘଟିଛି। କେରଳ ମଡେଲ ତଥା ଅଭିନେତ୍ରୀ ୨୦ ବର୍ଷୀୟା ଶାହାନଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରିଛି ପୁଲିସ୍। ଘଟଣାରେ ତାଙ୍କ  ୩୧ ବର୍ଷୀୟ ସ୍ୱାମୀ ସାଜିଦଙ୍କୁ ଅଟକ ରଖାଯାଇଛି। ଶାହାନଙ୍କ ମୃତଦେହ ଝରକା ରେଲିଂରେ ଝୁଲୁଥିବ ଅବସ୍ଥାରେ ଉଦ୍ଧାର ହୋଇଛି। ଆଖପାଖର ସ୍ଥିତି ଦେଖିଲେ ପୁଲିସର ହତ୍ୟା ସନ୍ଦେହ ଘନଉଛି।

ଘଟଣାରେ ପୁଲିସକୁ ସୂଚନା ଦେଇ ଶାହାନାଙ୍କ ମାଆ ଉଭେୟମା କହିଛନ୍ତି " ଗୁରୁବାର ସନ୍ଧ୍ୟାରେ ଶାହାନା ମୋତେ କଲ୍ କରିଥିଲା। ତାର ୨୦ତମ ଜନ୍ମଦିନ ପାଳନ ପାଇଁ ସେ ଘରକୁ ଆସିବ ବୋଲି କହୁଥିଲା। ସେ ବହୁତ ଖୁସି ଜଣାପଡ଼ୁଥିଲା। ମୁଁ ଭାବୁନି ଯେ ସେ ଆତ୍ମହତ୍ୟା କରିଥିବ।" ଗଣମାଧ୍ୟମ ମାତ୍ରୁଭୂମିକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଶାହାନଙ୍କ ମାଆ ଉଭେୟମା।

ଜ୍ୱାଇଁ ସାଜିଦଙ୍କ ଉପରେ ଅଭିଯୋଗ ଆଣି ସେ କହିଛନ୍ତି ଯେ ଶାହାନାଙ୍କୁ ଶାଜିଦ୍ ହତ୍ୟା କରିଛି। କାରଣ ସେ ତାକୁ ହତ୍ୟା କରିବାକୁ ଧମକ ଦେଉଥିଲା। ଶାହାନା ବିଜ୍ଞାପନରେ କମାଇଥିବା ଚେକ୍‌ ନଦେଲେ ତାକୁ ଜୀବନରୁ ମାରିଦେବାକୁ ସାଜିଦ୍ ଧମକ ଦେଉଥିଲା ବୋଲି ଶାହାନାଙ୍କ ମାଆ ଅଭିଯୋଗ କରିଛନ୍ତି।

ପ୍ରାୟ ଦେଢ଼ ବର୍ଷ ତଳେ କୋଝିକୋଡ଼େର ସାଜିଦଙ୍କୁ ବିବାହ କରିଥିଲେ ଶାହାନା। ସାଜିଦ ସେତେବେଳେ କତାରରେ ରହି କାମ କରୁଥିଲେ। ବିବାହ ପରେ ଶାହାନା ତାଙ୍କ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ତାମିଲ ସିନେମାନେର ବି ଅଭିନୟ କରି ଭଲ ପଇସା କମାଇବାକୁ ଲାଗିଥିଲେ। ପତ୍ନୀ ପଇସା କମାଉଥିବା ଦେଖି ଶାଜିଦ୍ ଆଉ କତାର ଯିବାକୁ ରାଜି ହେଲେ ନାହିଁ। ଶାଜିଦ ଶାହାନା ଆୟ କରୁଥିବା ଟଙ୍କା ଉଡ଼ାଉଥିଲେ ବୋଲି ଉଭୟେମା ଅଭିଯୋଗ କରିଛନ୍ତି।

ଶାହାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବାହାଘର ବେଳେ ଶାଜିଦଙ୍କ ପରିବାର ସୁନା ଗହଣା ଯଉତୁକ ମାଗିଥିଲେ। ନଦେବାରୁ ବାହାଘର ପରେ ଶାଜିଦ ଶାହାନଙ୍କୁ ନିର୍ଯାତନା ଦେଉଥିଲେ ଓ ଶାହାନାଙ୍କ ମାଆକୁ ଝିଅ ପାଖକୁ ଆସିବାକୁ ଦେଉ ନଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଶାଜିଦ୍‌ଙ୍କୁ ଅଟକ ରଖିବା ସହିତ ତଦନ୍ତ ଆରମ୍ଭ କରିଛି। ଏନେଇ ଏସିପି ସୁଦର୍ଶନ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି " ମଡେଲିଂ କରି ଶାହାନା ପାଇଥିବା କିଛି ଚେକ୍‌ ପାଇଁ ଝଗଡ଼ା ହୋଇଥିବା ଆମେ ଖବର ପାଇଥିଲୁ। ତେବେ ଶାହାନା ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ମାମଲା ବିଷୟରେ ତଦନ୍ତ ଚାଲିଛି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.