ନୂଆଦିଲ୍ଲୀ ୧୮/୦୬: ୨୦୨୩ରେ ନିର୍ମାଣ ହୋଇଥିଲା ଫିଲ୍ମ 'ଆଡୁଜିବିତମ୍' । ଏହି ମାଲାୟାଲମ୍ ଚଳଚ୍ଚିତ୍ରଟି ଥିଲା ପ୍ରବାସୀ ଶ୍ରମିକଙ୍କ ଜୀବନି ସଂଘର୍ଷର କାହାଣୀ । ସାଉଦି ଆରବରେ ଥିବା କେରଳ ପ୍ରବାସୀ ଶ୍ରମିକଙ୍କ କେମିତି କାଟୁଥିଲେ ଦିନ ତାହା ଥିଲା ଫିଲ୍ମର ବିଷୟବସ୍ତୁ । ଫିଲ୍ମଟି ହିଟ୍ ହୋଇଥିଲା, ବକ୍ସ ଅଫିସରେ କରିଥିଲା ୧୫୦ କୋଟିରୁ ଅଧିକ କଲେକ୍ସନ ।
ଚଳଚ୍ଚିତ୍ରର ସହ-ନିର୍ମାତା ଥିଲେ କେରଳ ବ୍ୟବସାୟୀ କେ.ଜି ଅବ୍ରାହମ । ହେଲେ ବିଡମ୍ବନାର ବିଷୟ, ଇଏ ସେହି ଅବ୍ରାହମ, ଯାହାଙ୍କ ବିଲ୍ଡିଂରେ ଯାଇଛି ୪୫ ଜୀବନ । ଜୁନ୍ ୧୨ରେ ଘଟିଥିଲା ସେହି ଭୟାବହ ଅଗ୍ନିକାଣ୍ଡ । ଆଉ କୁଏତରେ ନିଆଁ ଲାଗିଥିବା ସେହି ବିଲ୍ଡିଂର ମାଲିକ ଅବ୍ରାହମ ।
ଅଗ୍ନିକାଣ୍ଡରେ କାନ୍ଦୁଛି କୁଏତ । ୪୯ ମୃତକଙ୍କ ମଧ୍ୟରେ ୪୫ ଭାରତୀୟ । ଆଉ ଯେଉଁ ବିଲ୍ଡିଂରେ ଲାଗିଥିଲା ନିଆଁ ତା ପୁଣି ଜଣେ ଭାରତୀୟଙ୍କର । NBTC ନାମକ ଏକ କମ୍ପାନୀର ମାଲିକ ହେଉଛନ୍ତି କେ.ଜି ଅବ୍ରାହମ୍ । ୧୯୭୭ରେ ପ୍ରତିଷ୍ଠା ହୋଇଥିଲା ଏହି କମ୍ପାନୀ । ଯାହା ଇଞ୍ଜିନିୟରିଂ, ନିର୍ମାଣ, ଲଜିଷ୍ଟିକ୍ସ, ହୋଟେଲ ଏବଂ ଖୁଚୁରା କ୍ଷେତ୍ରରେ ଯୋଗାଇଥାଏ ସେବା । ଏବେ ଅବ୍ରହାମଙ୍କର ସମ୍ପତ୍ତି ହେଉଛି ୪ ହଜାର କୋଟି ପାର୍ । ଏହାସହ କୁଏତରେ ହାଇୱେ ସେଣ୍ଟର ନାମକ ଏକ ସପିଂ ବଜାରର ମାଲିକ ବି ସେ । ତାଙ୍କ ପାଖରେ କୋଚିରେ କ୍ରାଉନ୍ ପ୍ଲାଜା ନାମକ ଏକ ପାଞ୍ଚ ତାରକା ହୋଟେଲ ବି ଅଛି ।
କେରଳର ପଠାନମଥିଟା ଜିଲ୍ଲା ନିରାମ ନିବାସୀ ଅବ୍ରହାମ । ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ପରେ ୧୯୭୬ରେ ୨୨ ବର୍ଷ ବୟସରେ ଯାଇଥିଲେ କୁଏତ । ଆରମ୍ଭ ହୋଇଥିଲା ତାଙ୍କ ବ୍ୟବସାୟିକ ଯାତ୍ରା । ମୁସାୟରୀ ନାମକ କମ୍ପାନୀରେ ଚାକିରି କଲେଲେ ଏବଂ ତାଙ୍କର ଦରମା ଥିଲା ୬୦ ଦିନାର । ଠିକ୍ ସାତ ବର୍ଷ ପରେ, ସେ ବନିଗଲେ NBTC ଅଂଶୀଦାର । ଯେଉଁ କମ୍ପାନୀ କୁଏତରେ ଆରମ୍ଭ କରିଥିଲା ଛୋଟ ବଡ ସିଭିଲ୍ କନଷ୍ଟ୍ରକ୍ସନ ।
କୁଏତ ଯୁଦ୍ଧ ଅବ୍ରାହମଙ୍କ ଜୀବନରେ ଆଣିଥିଲା ବଡ ପରିବର୍ତ୍ତନ । ଯେବେ ଯୁଦ୍ଧ ଆରମ୍ଭ ହେଲା ସେବେ ତାଙ୍କ ପରିବାର ସହ ଥିଲେ ଛୁଟିରେ । ଯୁଦ୍ଧ ସରିବା ପରେ ଫେରିଗଲେ କୁଏତ । ଆରମ୍ଭ କରିଥିଲେ ବ୍ୟବସାୟ । ତାଙ୍କର କମ୍ପାନୀ ତୈଳ, ଗ୍ୟାସ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିସ୍ତାର କରିଥିଲା କାୟା । ଅବ୍ରହାମ ୯୦ ଶ୍ରମିକଙ୍କ ସହିତ ଆରମ୍ଭ କରିଥିବା କମ୍ପାନୀ ପରେ ୧୫ ହଜାରକୁ ବ୍ୟାପିଥିଲା ।
କେରଳ କୋଚିରେ ଥିବା ୫ ଷ୍ଟାର ହୋଟେଲ କ୍ରାଉନ୍ ପ୍ଲାଜାରେ ରହିଛି କେଜି ଅବ୍ରାହମଙ୍କର ଅଂଶଧନ । ୨୦୦୬ରେ କେରଳର ତତ୍କାଳୀନ ପିଡବ୍ଲ୍ୟୁଡି ମନ୍ତ୍ରୀ ଟିୟୁ କୁରୁଭିଲାଙ୍କ ସହ ଜମି ଡିଲ୍ ନେଇ ହୋଇଥିଲା ବିବାଦ । ଟିୟୁ କୁରୁଭିଲା ଅବ୍ରହମଙ୍କୁ ୫୦ ଏକର ବନ୍ଧ୍ୟା ଜମି ବିକ୍ରି କରିବାକୁ ଚେଷ୍ଟା କରିଥିଲେ ।
୭ କୋଟି ଟଙ୍କା ଦେଇଥିବା ଅବ୍ରହାମ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସହ ହୋଇଛି ପ୍ରତାରଣା । ସେତେବେଳେ ସେ ଏହି ଡିଲର ଭାଗିଦାରୀ ହେବାକୁ ମନା କରିଥିଲେ । ହେଲେ ଟି କୁରୁଭିଲ୍ଲା କିନ୍ତୁ ୭ କୋଟି ଫେରସ୍ତ କରିବା ମୁଡରେ ନଥିଲେ । ଯାହାକୁ ନେଇ କେରଳ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ଅବ୍ରାହମ । ସରକାରଙ୍କ ଚାପ ପରେ ଇସ୍ତଫା ଦେଇଥିଲେ ମନ୍ତ୍ରୀ ।
ସିପିଏମ ନେତୃତ୍ୱାଧୀନ ବାମ ଡେମୋକ୍ରାଟିକ୍ ଫ୍ରଣ୍ଟ ସରକାରଙ୍କ ନିକଟକୁ ଯାଇଥିଲେ ଅବ୍ରାହମ । ସେଠି ସେ ଅନୁଭବ କରିଥିଲେ ଯେ, ପ୍ରବାସୀମାନଙ୍କଠାରୁ ସଂଗୃହିତ ୨୦୧୮ ବନ୍ୟା ସହାୟତା ପାଣ୍ଠି ଲୋକଙ୍କ ନିକଟରେ ପହଞ୍ଚୁନାହିଁ।
୨୦୨୩ କେରଳ ସରକାର ନିଷ୍ପତ୍ତି ନେଇଥିଲେ କି, ଖାଲି ଘର ଉପରେ ବି ଲାଗୁ ହେବ ଟିକସ । ଯାହକୁ ତୀବ୍ର ବିରୋଧ କରି ରାଜନୈତିକ ପାଣ୍ଠି ବନ୍ଦ କରିବାକୁ ଦେଇଥିଲେ ନିର୍ଦ୍ଦେଶ । ୨୦୧୮ରେ କେରଳରେ ହୋଇଥିବା ପ୍ରବଳ ବନ୍ୟାରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ଅବ୍ରହମ । ପ୍ରପୀଡିତଙ୍କୁ ସାହାଯ୍ୟ କରିବା ଲାଗି ସଂଗ୍ରହ କରିଥିଲେ ପାଣ୍ଠି ।