କେରଳର ଟ୍ବିନ୍ସ ଟାଉନ୍ କୋଡ଼ିହ୍ନି, ପ୍ରତି ଘରେ ଜନ୍ମ ନେଉଛନ୍ତି ଯମଜ ଶିଶୁ, ୪୦୦ରୁ ଅଧିକ ପିଲା ଯାଆଁଳା

Published By : Prameya-News7 Bureau | November 08, 2022 IST

କୋଚି: ବିଚିତ୍ର ଏ ଦୁନିଆ । କେଉଁ ସ୍ଥାନ ପର୍ଯ୍ୟଟନସ୍ଥଳୀ ପାଇଁ ପରିଚିତ ତ, କେଉଁ ସ୍ଥାନ ଭାଷା ଓ ସଂସ୍କୃତିକୁ ନେଇ ପରିଚୟ ପାଇଛି । ହେଲେ ଦେଶରେ ଏମିତି ଏକ ଗାଁ ରହିଛି ଯାହା ଯାଆଁଳା ଶିଶୁଙ୍କୁ ନେଇ ନୂଆ ପରିଚିୟ ସୃଷ୍ଟି କରିଛି । ଏଭଳି ଏକ ଭିନ୍ନ ଗାଁ ହେଉଛି କେରଳର କୋଡ଼ିହ୍ନି । ଯେଉଁଠି ପ୍ରତି ଘରେ ଜନ୍ମ ନେଉଛନ୍ତି ଯମଜ ସନ୍ତାନ । ମଲ୍ଲପୁରମ ଜିଲ୍ଲାରେ ଏହି ଗାଁ ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୪୦୦ରୁ ଅଧିକ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି ।

କୋଡ଼ିହ୍ନି ଗାଁରେ ପ୍ରତି ଘରେ ଯମଜ ସନ୍ତାନ ଦେଖିବାକୁ ମିଳିଛି । ପୂରା ଦୁନିଆରେ  ହଜାରେ ଶିଶୁରେ ମାତ୍ର ୯ଜଣ ଯାଆଁଳା ଜନ୍ମ ହୋଇଥାନ୍ତି । ହେଲେ ଭାରତର ଏହି ଗାଁରେ ପ୍ରତି ହଜାରେରେ ୪୫ ଶିଶୁ ଯାଆଁଳା ହୋଇ ଜନ୍ମ ହେଉଛନ୍ତି । ଏହା କିପରି ସମ୍ଭବ ହେଉଛି ବୈଜ୍ଞାନିକ ମାନେ ରିସର୍ଚ୍ଚ ଚଳାଇଛନ୍ତି, ମାତ୍ର ଏଯାଏଁ କୌଣସି ଠୋସ୍ ପ୍ରମାଣ ହାତରେ ଲାଗିନାହିଁ ।

କେରଳ କୋଡିହ୍ନିରେ ପ୍ରାୟ ଦୁଇ ହଜାରରୁ ଅଧିକ ଲୋକ ବସବାସ କରନ୍ତି । କିଛି ବର୍ଷ ହେଲା ଏଠାରେ ଦ୍ରୁତ ଗତିରେ ଯମଜ ଶିଶୁଙ୍କ ସଂଖ୍ୟା ବଢ଼ି ଚାଲିଛି । ୨୦୦୮ ମସିହାରେ ୨୮୦ଜଣ ଯାଆଁଳା ଶିଶୁ ଚିହ୍ନଟ ହୋଇଥିଲେ । ସେହି ବର୍ଷ ୩୦୦ରୁ ଅଧିକ ମହିଳାଙ୍କ ଆସନ୍ନ ପ୍ରସବ ପରେ ୧୫ ଯାଆଁଳା ସନ୍ତାନ ଜନ୍ମ ହୋଇଥିବା ଜଣାପଡ଼ିଛି । ଏହା ପରେ କୋଡିହ୍ନି ଗାଁ ଚର୍ଚ୍ଚାକୁ ଆସିଥିଲା । ଗାଁ ଲୋକଙ୍କ କହିବା ଅନୁଯାୟୀ, ତିନି ପିଢୀ ହେଲା ଏଠାରେ ଯାଆଁଳା ଶିଶୁ ଜନ୍ମ ହେଉଛନ୍ତି । ଡାକ୍ତର କୃଷ୍ଣ ଶ୍ରୀବିଜୁ କହିଛନ୍ତି, ଏହି ଚତ୍ମକାର ୬୦ରୁ ୭୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । ଗତ ୧୦ ବର୍ଷ ହେଲା ଯମଜ ସନ୍ତାନଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି । ଏହା ଗ୍ରାମବାସୀଙ୍କ ଖାଦ୍ୟପେୟର ପ୍ରଭାବ ନୁହେଁ ବୋଲି ଡାକ୍ତର କହିଛନ୍ତି ।

କୋଡିହ୍ନି ଗାଁର ଏହି ରହସ୍ୟ ଜାଣିବା ପାଇଁ ୨୦୧୬ରେ ଭାରତ, ଜର୍ମାନୀ ଓ ଲଣ୍ଡନର ବୈଜ୍ଞାନିକ ମାନେ ସାମୂହିକ ଭାବେ ଗବେଷଣା କରିଥିଲେ । ବୈଜ୍ଞାନିକ ମାନେ ଗାଁ ଲୋକଙ୍କ ଡିଏନଏର ସାମ୍ପୂଲ ନେଇ ପରୀକ୍ଷା କରିଥିଲେ, ହେଲେ ଏଥିରେ କୌଣସି ସଠିକ୍ ତଥ୍ୟ ମିଳିନଥିଲା ।  ତେବେ କେଉଁ କାରଣରୁ ଯମଜ ଶିଶୁ ଜନ୍ମ ନେଉଛନ୍ତି ଗ୍ରାମବାସୀଙ୍କ କେବେ ଅନୁଭବ କରିଥିଲେ । ପ୍ରଥମ ଥର ଗାଁର ଦୁଇ ଯାଆଁଳା ଭଉଣୀ ନିଜ ଶ୍ରେଣୀରେ ୮ଜଣ ଯମଜ ପିଲାଥିବା ଅନୁଭବ କରିଥିଲେ । ପରେ ସ୍କୁଲରେ ମୋଟ୍ ୨୪ ଯୋଡ଼ା ଯାଆଁଳା ଛାତ୍ରଛାତ୍ରୀ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ସାମ୍ନାକୁ ଆସିଥିଲା ଗାଁର ବିଚିତ୍ର ରହସ୍ୟ ।  

କୋଡିହ୍ନ ଗାଁ ଏବେ ଟ୍ବିନ୍ସ ଟାଉନ୍ ଭାବେ ପରିଚିତ । ଯମଜ ସନ୍ତାନଙ୍କ ରେଜିଷ୍ଟ୍ରାସନ ଓ ପରିବାରକୁ ସହାୟତା ପାଇଁ ଟ୍ବିନ୍ସ ଏଣ୍ଡ୍ କିନ୍ ଏସୋସିଏସନ୍ ମଧ୍ୟ ଏଠାରେ ଗଠନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.