ଦୀର୍ଘ ୨ବର୍ଷର ଲଢେଇ ପରେ ଜେଲରୁ ମୁକୁଳିଛନ୍ତି କେରଳ ସାମ୍ବାଦିକ ସିଦ୍ଦିକି କପ୍ପନ୍
2/02/2023 at 3:31 PM

ନୂଆଦିଲ୍ଲୀ 02/02: କେରଳ ସାମ୍ବାଦିକ ସିଦ୍ଦିକି କପ୍ପନ୍ ୨ ବର୍ଷ ପରେ ଆଜି ଜେଲରୁ ମୁକୁଳିଛନ୍ତି। ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତି ଥିବା ଅଭିଯୋଗରେ ଉତ୍ତର ପ୍ରଦେଶରେ ଗିରଫ ହୋଇଥିଲେ। ଉତ୍ତରପ୍ରଦେଶର ହାଥରସ୍ ଦୁଷ୍କର୍ମ ମାମଲାର କଭରେଜ୍ ପାଇଁ ଯାଇଥିବା ବେଳେ ୨୦୨୦ ଅକ୍ଟୋବରରେ କପ୍ପନ ଓ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା।
ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ ସେମାନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସାତ୍ମକ କାର୍ଯ୍ୟ କରିବାକୁ ଉସୁକାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ତାଙ୍କ ଜାମିନ ନା ମଞ୍ଜୁର କରିଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାଏର କରାଯାଇଥିବା ‘ମନି ଲଣ୍ଡରିଂ’ ମାମଲା ଯୋଗୁଁ ସେ ଲକ୍ଷ୍ନୌ କାରାଗାରରେ ରହୁଥିଲେ। ଡିସେମ୍ବର ୨୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ସିଦ୍ଦିକି କପ୍ପନଙ୍କୁ ‘ମିନି ଲଣ୍ଡରିଂ’ ମାମଲାରେ ଜାମିନ ମଞ୍ଜୁର କରିଥିଲେ।
ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳବାର ଦିନ ୧ଲକ୍ଷ ଟଙ୍କିଆ ଦୁଇଟି ମୁଚାଲିକା ମଙ୍ଗଳବାର ଦିନ ଅଦାଲତରେ ଦାଖଲ କରାଯାଇ ପାରି ନ ଥିଲା। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଗୁରୁବାର ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। ମାଆଙ୍କ ମୃତ୍ୟୁ ଯୋଗୁଁ ତାଙ୍କର ମନ ଭଲନାହିଁ ବୋଲି ସିଦ୍ଦିକି ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଘରକୁ ଯାଉଥିବେଳେ କୋଳେଇ ନେବାକୁ ମାଆ ନ ଥିବା କଥା ମତେ ଖୁବ୍ ବ୍ୟଥିତ କରୁଛି।