କେରଳ ସାମ୍ବାଦିକ ସିଦ୍ଦୀକୀ କପ୍ପନଙ୍କୁ ମିଳିଲା ଜାମିନ୍, ୨ ବର୍ଷ ପରେ ମୁକୁଳିବେ ଜେଲରୁ

Published By : Prameya-News7 Bureau | December 23, 2022 IST

ପ୍ରୟାଗରାଜ ୨୩।୧୨:  କେରଳ ସାମ୍ବାଦିକ ସିଦ୍ଦୀକୀ କପ୍ପନଙ୍କ ଜେଲରୁ ମୁକ୍ତ ହେବାର ରାସ୍ତା ସଫା ହୋଇଯାଇଛି। ଏଲହାବାଦ ହାଇକୋର୍ଟ ଶୁକ୍ରବାର ତାଙ୍କୁ ମନିଲଣ୍ଡ୍ରିଂର ଏକ ମାମଲାରେ ଜାମିନ ମଞ୍ଜୁର କରିଛନ୍ତି। ଏଣୁ ପ୍ରାୟ ୨ ବର୍ଷ ପରେ କପ୍ପନ ଏବେ ଜେଲରୁ ବାହାରକୁ ବାହାରିବେ। ସିଦ୍ଦୀକୀ କପ୍ପନଙ୍କୁ ଅକ୍ଟୋବର ୨୦୨୦ରେ ମଥୁରାରୁ ଗିରଫ କରାଯାଇଥିଲା। ସେ ଉତ୍ତର ପ୍ରଦେଶରେ ଜନୈକା ଦଳିତ ଯୁବତୀଙ୍କ ଦୁଷ୍କର୍ମ ଓ ପରେ ମୃତ୍ୟୁ ଘଟଣାର କଭର କରିବାକୁ ହାଥରସ ଯାଉଥିବା ବେଳେ ଗିରଫ ହୋଇଥିଲେ।

ତାଙ୍କ ବିରୋଧରେ ସେ ପିଏଫଆଇର ସଦସ୍ୟ ହୋଇଥିବା ଓ ହିଂସା ଭଡକେଇବାକୁ ଷଡ଼ଯନ୍ତ୍ର କରୁଥିବାର ଅଭିଯୋଗ ହୋଇଥିଲା। ତାଙ୍କୁ ଆଇପିସି, ୟୁଏପିଏ ଓ ଆଇଟି ଆକ୍ଟରେ ଗିରଫ କରାଯାଇଥିଲା। ତେବେ ୟୁଏପିଏ ମାମଲାରେ ତାଙ୍କୁ ଗତ ସେପ୍ଟେମ୍ବର ମାସରେ ବେଲ ମିଳିଯାଇଥିବା ବେଳେ ମନିଲଣ୍ଡ୍ରିଂ ମାମଲା ପେଣ୍ଡିଂ ଥିଲା। ଏଣୁ କପ୍ପନ ଜେଲରୁ ମୁକୁଳି ପାରିନଥିଲେ। ତେବେ ଡିସେମ୍ବର ଆରମ୍ଭ ସପ୍ତାହରେ ଲକ୍ଷ୍ନୌର ଏକ କୋର୍ଟ କପ୍ପନଙ୍କ ବିରୋଧରେ ପିଏମଏଲଏ ଅନୁସାରେ ଅଭିଯୋଗ ନିର୍ଦ୍ଧାରିତ କରିଥିଲେ।

ପୋଲିସ ଏମାନଙ୍କୁ ନିଷିଦ୍ଧ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଓ ଏହାର ଛାତ୍ର ଶାଖା କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ( ସିଏଫଆଇ) ସଦସ୍ୟ ବୋଲି ଦାବି କରୁଛି। ତେବେ ମାମଲାରେ ଗିରଫ କପ୍ପନ ଓ ଅନ୍ୟମାନେ ଆତଙ୍କବାଦ ଗତିବିଦ୍ଧି  ଅଥବା ଫଣ୍ଡିରେ ସେମାନଙ୍କର ସମ୍ପୃକ୍ତି ନଥିବା କହି ଆସୁଛନ୍ତି। ସେମାନେ କୋର୍ଟରେ କେବଳ ସାମ୍ବାଦିକତା କାମ ଲାଗି ହାଥରସ୍ ଯାଉଥିଲେ ବୋଲି ତର୍କ ଦେଇଛନ୍ତି।    

ୟୁଏପିଏ ମାମଲାରେ ସୁପ୍ରିମକୋର୍ଟ କପ୍ପନଙ୍କୁ ସଶର୍ତ୍ତ ଜାମିନ ମଞ୍ଜୁର କରିଛନ୍ତି। ଏଣୁ ଜେଲରୁ ମୁକୁଳିବା ପରେ ତାଙ୍କୁ ପ୍ରାୟ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବାକୁ ପଡିବ। ଏହି ସମୟରେ ପ୍ରତି ସୋମବାର ତାଙ୍କୁ ନିଜାମୁଦ୍ଦିନ ପୋଲିସ ଥାନାରେ ହାଜିରା ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.