ସାବରିମାଲାକୁ ନେଇ ପୁଣି ସୁପ୍ରିମକୋର୍ଟରେ କେରଳ ସରକାର ! Covidରେ ଦର୍ଶନାର୍ଥୀ ସମ୍ପର୍କିତ ହାଇକୋର୍ଟଙ୍କ ରାୟକୁ କରିଛନ୍ତି ଚାଲେଞ୍ଜ

Published By : Prameya-News7 Bureau | December 24, 2020 IST

ନୂଆଦିଲ୍ଲୀ ୨୪।୧୨: କେରଳ ସାବରିମାଲା ମନ୍ଦିରରେ ଭକ୍ତ, ସ୍ୱେଚ୍ଛାସେବୀ, ମନ୍ଦିର କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ବ୍ୟାପୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଏଥିରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ଲାଗି କେରଳ ହାଇକୋର୍ଟଙ୍କ ଡିସେମ୍ବର ୧୮ ରାୟକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି।

ମନ୍ଦିରରେ ଏବେ ପ୍ରତ୍ୟହ ୨ହଜାର ଦର୍ଶନାର୍ଥୀ ଆୟପ୍ପାଙ୍କ ପୂଜାର୍ଚ୍ଚନା କରିପାରୁଛନ୍ତି। ତେବେ ଏହି ସଂଖ୍ୟାକୁ ୫ ହଜାର କରିବା ଲାଗି କେରଳ ହାଇକୋର୍ଟ ନିର୍ଦ୍ଦେଶ କୋଭିଡରେ ସରକାରଙ୍କ ଲାଗି ମସ୍ତବଡ ସମସ୍ୟା ଭାବେ ଉଭା ହୋଇଛି। ମନ୍ଦିର ପ୍ରାଙ୍ଗଣକୁ ଯେତେ ସଂଖ୍ୟାରେ ଭକ୍ତଙ୍କ ପ୍ରବେଶ ହେବ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ସେତିକି ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ କହିଛନ୍ତି। ସେହିପରି ରାଜ୍ୟ ଉଚ୍ଚନ୍ୟାୟାଳୟ କୌଣସି ରିପୋର୍ଟ ଓ ତଥ୍ୟକୁ ବିଚାରକୁ ନ ନେଇ ମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦେଇଥିବା ସରକାର ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜି.ପ୍ରକାଶ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି। ସେ ଉଲ୍ଲେଖ କରିଚନ୍ତି ଯେ  ନିକଟ ଅତୀତରେ ମନ୍ଦିର ପରିଦର୍ଶନ କରିଥିବା ଅନେକ ତୀର୍ଥ ଯାତ୍ରୀଙ୍କ ସହ ପୋଲିସ ଓ ସ୍ୱସ୍ଥ୍ୟ ଅଧିକାରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି।  ଏଣୁ ଦର୍ଶନାର୍ଥୀଙ୍କୁ ନେଇ ହାଇକୋର୍ଟଙ୍କ ଆଦେଶ ଉପରେ ତୁରନ୍ତ ଅନ୍ତରିଣ ରହିତାଦେଶ ଜାରି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟଙ୍କୁ ନିବେଦନ କରାଯାଇଛି।

କେରଳ ହାଇକୋର୍ଟ  ତାଙ୍କ ରାୟରେ ସାବରିମାଲା ମନ୍ଦିରକୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦଇଛନ୍ତି। ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ସପ୍ତାହର ପ୍ରତ୍ୟେକ ଦିନ ମନ୍ଦିରକୁ ସର୍ବାଧିକ ୨ ହଜାର ଓ ସପ୍ତାହନ୍ତରେ ୩ ହଜାର ଭକ୍ତଙ୍କୁ ଦର୍ଶନାନୁମତି ଦେଇଛନ୍ତି। ତେବେ ହାଇକୋର୍ଟ ଏହି ସଂଖ୍ୟାକୁ ୫ହଜାର କରିବାକୁ କହିଛନ୍ତି।

ଅନ୍ୟପଟରେ କେରଳ ସରକାର ଡିସେମ୍ବର ୨୬ ତାରିଖରୁ ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଦର୍ଶନାର୍ଥୀଙ୍କ ଆରଟି-ପିସିଆର କୋଭିଡ ଯାଞ୍ଚ ରିପୋର୍ଟ ଆଣିବା କଡାକଡି କରିବାକୁ ଯାଉଛନ୍ତି। ଦର୍ଶାନାର୍ଥୀ ୪୮ ଘଣ୍ଟା ପୂର୍ବରୁ ସଂଗ୍ରହ କରିଥିବା ଯାଞ୍ଚ ରିପୋର୍ଟ କେବଳ ମନ୍ଦିରକୁ ଦର୍ଶନ ନିମନ୍ତେ ଯିବା ଲାଗି ବୈଧ ଅନୁମତି ହେବ ବୋଲି ସ୍ପଷ୍ଟ କହିଛନ୍ତି। ମନ୍ଦିରରେ ପବିତ୍ର ମଣ୍ଡଳ ପୂଜା ଡିସେମ୍ବ ର୨୬ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ମନ୍ଦିର ବନ୍ଦ ରହିବ। ଡିସେମ୍ବର ୩୧ ତାରିଖରେ ମକରବିଲ୍ଲାକୁ ପୂଜା ଲାଗି ମନ୍ଦିରର କବାଟ ପୁଣି ଖୋଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.