ଦୁଇ ନ୍ୟୁଜ୍ ଚ୍ୟାନେଲ ଉପରେ ରାଗ ଝାଡିଲେ କେରଳ ରାଜ୍ୟପାଳ, ନାଁ ନେଇ କହିଲେ-ତୁରନ୍ତ ଚାଲି ଯାଆନ୍ତୁ

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମିଡିଆର ଗୋଟିଏ ଗୋଷ୍ଠୀ ଉପରେ ନିଜ ରାଗ ଝାଡିଛନ୍ତି । କୋଚିରେ ଏକ ସାମ୍ୱାଧିକ ସମ୍ମିଳନୀ ଆରମ୍ଭ ପୂର୍ବରୁ ଦୁଇ ମିଡିଆ ଚ୍ୟାନେଲର ନାଁ ନେଇ ମୁଁ ଆପଣଙ୍କ ସହ କଥା ହେବାକୁ ଚାହୁଁ ନାହିଁ ବୋଲି କହିଛନ୍ତି । ଏହାପରେ ଏହି ଦୁଇ ଚ୍ୟାନେଲର ପ୍ରତିନିଧିଙ୍କୁ ସେଠାରୁ ବାହାରକୁ ଚାଲିଯିବାକୁ କହିଥିଲେ । କେରାଳୀ ଟିଭି ଏବଂ ମିଡିଆ ୱାନ ଟିଭି ଚ୍ୟାନେଲର ପ୍ରତିନିଧିଙ୍କୁ ରାଜ୍ୟପାଳ ଆରିଫ ଖାନ କହିଥିଲେ ଯେ ଆପଣାମାନେ ମୋ ବିରୋଧରେ କ୍ୟାମ୍ପେନ ଚଲାଇଛନ୍ତି । ଏଥିପାଇଁ ମୁଁ ଆପଣଙ୍କ ସହ କଥା ହେବି ନାହିଁ ।

ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଥିଲେ,'ମୁଁ ସେହି ଲୋକଙ୍କ ସହ କଥା ହେବି ନାହିଁ, ଯେଉଁମାନେ ନିଜକୁ ମିଡିଆ କହୁଛନ୍ତି, କିନ୍ତୁ ପ୍ରକୃତରେ କୌଣସି ଦଳ ସହ ଜଡିତ ଅଛନ୍ତି ।ଏହାପରେ ସେ କହିଥିଲେ, ଯଦି ଏଠାରେ ସେହିପରି କିଏ ଅଛନ୍ତି ତେବେ ମୋର ବିନମ୍ର ଅନୁରୋଧ ସେ ଏଠାରୁ ଚାଲି ଯାଆନ୍ତୁ । ମୁଁ ଆଶା କରେ ଯେ ଏଠାରେ କେରାଳୀ ଟିଭି ଏବଂ ମିଡିଆ ୱାନ ଟିଭି ଚ୍ୟାନେଲରୁ କେହି ନଥିବେ । ଯଦି କିଏ ଅଛନ୍ତି, ସେ ଏଠାରୁ ତୁରନ୍ତ ଚାଲି ଯାଆନ୍ତୁ' ।

ଏହାପରେ ସେଠାରେ ଉପସ୍ଥିତି ମିଡିଆକର୍ମୀଙ୍କୁ ପ୍ରଶ୍ନ କରି କେରାଳୀ ଏବଂ ମିଡିଆ ୱାନକୁ କେହି ଅଛନ୍ତି ବୋଲି ପଚାରିଥିଲେ । ଏହାପରେ ଜଣେ ମିଡିଆକର୍ମୀ ହଁରେ ଜବାବ ଦେଇଥିଲେ । ଏହା ଶୁଣି ଆରିଫ ଖାନ ରାଗି ଯାଇଥିଲେ ଏବଂ କହିଥିଲେ ଆପଣମାନେ ଶାହବାନୋ କେସର ପ୍ରତିଶୋଧ ନେଉଛନ୍ତି । ଆପଣମାନେ ମୋ ବିରୋଧରେ କ୍ୟାମ୍ପେନ ଚଲାଇଛନ୍ତି । ଏଥିପାଇଁ ଆପଣମାନଙ୍କ ସହ ମୁଁ କଥା ହେବି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.