କେରଳ ରାଜ୍ୟପାଳ କହିଲେ-ମୋତେ କାହିଁକି ଲୋକେ କହୁ ନାହାନ୍ତି ହିନ୍ଦୁ?
28/01/2023 at 8:32 PM

ତିରୁଅନନ୍ତପୁରମ ୨୮।୧: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଶନିବାର ତିରୁଅନନ୍ତପୁରମରେ ଅନୁଷ୍ଠିତ ହିନ୍ଦୁ କନକ୍ଲେଭରେ ଭାଗ ନେଇଛନ୍ତି। ଏହି ଅବସରରେ ଆର୍ଯ୍ୟ ସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ତାଙ୍କର ଯୋଗଦାନକୁ ସମ୍ମାନ କରାଯାଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ତେବେ ତାଙ୍କୁ କାହିଁକି ହିନ୍ଦୁ କୁହାଯାଉନି ବୋଲି ଅଭିଯୋଗ କରିଥିଲେ। କେରଳ ରାଜ୍ୟପାଳ କହିଛନ୍ତି ଯେ ମୋତେ ଲାଗୁନି ‘ହିନ୍ଦୁ’ ଏକ ଧାର୍ମିକ ଶବ୍ଦ, ଏହା ଏକ ଭୌଗଳିକ ଶବ୍ଦ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ, କେହିବି ଯିଏ ଭାରତରେ ଜନ୍ମ ହୋଇଛନ୍ତି, ଭାରତରେ ଉତ୍ପାଦିତ ଅନ୍ନ ଖାଉଛନ୍ତି ଓ ଦେଶର ନଦନଦୀର ଜଳ ପିଉଛନ୍ତି ସେମାନେ ନିଜକୁ ହିନ୍ଦୁ କହିବାକୁ ହକଦାର।ସେହି ଦୃଷ୍ଟିରୁ ମୋତେ ମଧ୍ୟ ହିନ୍ଦୁ କୁହାଯିବା ଦରକାର ବୋଲି ଆରିଫ ମହମ୍ମଦ ଖାନ କହିଛନ୍ତି। ହିନ୍ଦୁ ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟପାଳ ସାର ସୟଦ ଅହମ୍ମଦ ଖାନଙ୍କୁ ଊଦ୍ଧୃତ କରିଥିଲେ। ସେ କହିଥିଲେ ଯେ ସାର ସୟଦ ଅହମ୍ମଦ ଖାନ ଜଣେ ସଂସ୍କାରକ ଓ ଆଲିଗଡ଼ ମୁସ୍ଲିମ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ମଧ୍ୟ ଥିଲେ।
ସେ ବିବିସି ଡକ୍ୟୁମେଣ୍ଟ୍ରି ଉପରେ ମଧ୍ୟ କହିଥିଲେ। ରାଜ୍ୟପାଳ କହିଥିଲେ ଯେ ଦେଶରେ ବ୍ରିଟିଶ ଶାସନ କାଳରେ କାହିଁକି ଡକ୍ୟୁମେଣ୍ଟ୍ରି ନିର୍ମାଣ କରାଯାଇ ନଥିଲା। ଯେଉଁମାନେ ଭାରତ ଟୁକୁରା ଟୁକୁରା ହୋଇ ପରସ୍ପର ସହ ଲଢିବ ବୋଲି ଭବିଷ୍ୟତବାଣୀ କରିଥିଲେ ସେମାନଙ୍କ ମାନସିକତା ଏବେ ନିରାଶ ହୋଇଯାଇଛି। କାରଣ ଭାରତ ଏବେ ଭଲ କରୁଛି। ସାରା ବିଶ୍ୱରେ ଏବେ ଭାରତର ଡିଣ୍ଡିମ ବାଜୁଛି ଏଣୁ ଲୋକେ ନିରାଶ ହୋଇ ଏପରି ଡକ୍ୟୁମେଣ୍ଟ୍ରି ନିର୍ମାଣ କରୁଛନ୍ତି। ତେବେ ମାମଲାରେ ଆମର କିଛି ଲୋକଙ୍କୁ ନେଇ ମୋର ଦୁଃଖ। କାରଣ ସେମାନେ ଭାରତର ନ୍ୟାୟପାଳିକାଙ୍କ ନିଷ୍ପତ୍ତି ଉପରେ ଭରସା ନ କରି ଡକ୍ୟୁମେଣ୍ଟ୍ରି ଉପରେ ଭରସା କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।