ଆଗାମୀ ଗଣତନ୍ତ୍ର ଦିବସ ପରେଡରେ ଦେଖାଯିବନି ବେଙ୍ଗଲ ଓ କେରଳର ପ୍ରଜ୍ଞାପନ ମେଢ଼, କହିଲେ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୧:  ଆଗାମୀ ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟ ଓ ବିଭାଗଙ୍କ ପକ୍ଷରୁ  ଦିଲ୍ଲୀ ରାଜପଥରେ ଚିତାକର୍ଷକ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ତେବେ ଏଥିରେ ପଶ୍ଚିମବଙ୍ଗ ଓ କେରଳ ରାଜ୍ୟ ସରକାରଙ୍କ ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବନି। ଗତବର୍ଷ  କେରଳ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଥିବା ବେଳେ ଏଥର ବେଙ୍ଗଲ ମଧ୍ୟ ବାଦ ପଡିଛି। ଏଣୁ ଏହାକୁ ରାଜନୈତିକ ପୂର୍ବାଗ୍ରହ ପ୍ରେରିତ ବୋଲି ଉଭୟ ରାଜ୍ୟ ସରକାର ଅଭିଯୋଗ କରିଛନ୍ତି।

ଜାତୀୟ ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟମାନଙ୍କର ପ୍ରଜ୍ଞାପନ ମେଢ଼କୁ ପ୍ରାଥମିକତା ଦିଆଯାଇଥାଏ।  ଏମିତିରେ ଏହି ମେଢ଼ ଗୁଡିକ ସମ୍ପୃକ୍ତ ରାଜ୍ୟମାନଙ୍କର ସଂସ୍କୃତି, ବିକାଶ ଓ କଳାକୁ ଉପସ୍ଥାପନ କରିଥାନ୍ତି। ତେବେ ଜାତୀୟ ସ୍ତରର ଏହି କାର୍ଯ୍ୟକ୍ରମରେ ସବୁବର୍ଷ ସବୁ ରାଜ୍ୟଙ୍କ ପ୍ରଜ୍ଞାପନ ମେଢ଼କୁ ସାମିଲ କରିବା ସମ୍ଭବ ହୋଇନଥାଏ। ଏଣୁ ରାଜ୍ୟମାନେ ଏ ବାବଦେ ଦେଉଥିବା  ପ୍ରସ୍ତାବ ବାଛିବାକୁ ଏକ ମନୋନୟନ ସମିତି ରହିଛି। ବିଶେଷଜ୍ଞ କମିଟି ବହୁସ୍ତରୀୟ ପ୍ରକ୍ରିୟାରେ ପ୍ରାଜ୍ଞାପନ ମେଢ଼ ଚୟନ କରିଥାନ୍ତି।

{"id":576015,"sizeSlug":"full","linkDestination":"none"}

ଏଥର ପଶ୍ଚିମବଙ୍ଗ ସରକାର ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନକୁ ନଜରରେ ରଖି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଧାରିତ ପ୍ରଜ୍ଞାପନ ମେଢ଼ ଲାଗି ପ୍ରସ୍ତାବ ଦେଇଥିବା ବେଳେ କେରଳ ସରକାର ନାରାୟଣ ଗୁରୁ ପ୍ରଜ୍ଞାପନମେଢ ଲାଗି ପ୍ରସ୍ତାବ ଦେଇଥିଲେ। ତେବେ ଉଭୟ ରାଜ୍ୟଙ୍କ ପ୍ରସ୍ତାବ ଅସ୍ୱୀକୃତ ହୋଇଯାଇଛି। ୨୦୨୨ ସାଧରାଣତନ୍ତ୍ର ଦିବସ ପରେଡ ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟଙ୍କ ୫୬ଟି ପ୍ରସ୍ତାବ ମିଳିଥିଲା। ଏଥିରୁ ୨୧ଟିକୁ ଚୟନ କମିଟି ସର୍ଟଲିଷ୍ଟ କରିଛନ୍ତି। 

ଚଳିତବର୍ଷ ଯେଉଁ ପ୍ରଜ୍ଞାପନ ମେଢ଼ ଗୁଡିକ ରାଜପଥରେ ଦେଖା ଯିବେ ସେଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ୧୨ ଓ ସାମ୍ବିଧାନିକ ସଂସ୍ଥାଙ୍କର ୯ଟିକୁ ସ୍ୱୀକୃତି ମିଳିଛି। ଏଥର ଗଣତନ୍ତ୍ର ଦିବସ ସମାରୋହର ଥିମ ‘ଆଜାଦୀ କା ଅମୃତ ମହୋତ୍ସବ’ ରଖା ଯାଇଛି। ଦେଶ ସ୍ୱୀଧୀନ ହେବାର ୭୫ତମ ବାର୍ଷିକ ଅବସରରେ ଏହି ଥିମ ପ୍ରସ୍ତୁତ କରାଯାଇଛି। ଗତବର୍ଷ ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡରେ କେରଳର ପ୍ରଜ୍ଞାପନ ମେଢ଼ ଦେଖା ଯାଇନଥିଲା। ତେବେ ଏହା ପୂର୍ବରୁ ୨୦୧୮ ମସିହାରେ ଶେଷ ଥର କେରଳର ପ୍ରଜ୍ଞାପନ ମେଢକୁ ଦେଖାଯାଇଛି।

{"id":576018,"sizeSlug":"full","linkDestination":"none"}

ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ୨୦୧୬ ଓ ୨୦୧୭ ମସିହାରେ ଲଗାତାର ୨ ବର୍ଷ ଗଣତନ୍ତ୍ର ଦିବସ ପରେଡରେ ଦେଖା ଯାଇଥିବା ବେଳେ ୨୦୧୯ ଓ ୨୦୨୧ରେ ମଧ୍ୟ ଅଂଶଗ୍ରହଣ କରିଥିଲା। ୨୦୧୬ ମସିହାରେ ପଶ୍ଚିମବଙ୍ଗର ପ୍ରଜ୍ଞାପନମେଢ଼ ସର୍ବଶ୍ରେଷ୍ଠ ହୋଇଥିବାର ମଧ୍ୟ ନଜିର ରହିଛି। ତେବେ ଚଳତିବର୍ଷ କୋଭିଡ କାରଣରୁ ପ୍ରଜ୍ଞାପନ ମେଢ଼ ସଂଖ୍ୟା ହ୍ରାସ କରାଯାଇଥିବାରୁ ଏଥିରେ ପଶ୍ଚିମବଙ୍ଗ ଓ କେରଳ ଭଳି କେତେକ ରାଜ୍ୟ ବାଦ ପଡିଥିବାରୁ ଏବେ ଏହାକୁ ନେଇ ବିବାଦ ଉପୁଜିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.