ଜଙ୍ଗଲରେ ଖଞ୍ଜା ହୋଇଥିଲା କ୍ୟାମେରା, ନଜର ଆସିଲା ବିରଳ ପ୍ରଜାତିର ଗୟଳ
12/03/2023 at 1:55 PM

କେନ୍ଦୁଝର ୧୨।୦୩: କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ବିରଳ ପ୍ରଜାତିର ଗୟଳ ଠାବ । ସଂରକ୍ଷିତ ଜଙ୍ଗଲରେ ବିରଳ ପ୍ରଜାତିର ବହୁ ବନ୍ୟପ୍ରାଣୀ ଟ୍ରାପ କ୍ୟାମେରାରେ ଠାବ ହୋଇଛି । ପୂର୍ବରୁ ଏହି ରେଞ୍ଜରେ ଏକ ମହାବଳ ବାଘ ଠାବ ହେବା ପରେ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ୪୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା ।
ତେବେ ଟ୍ରାପ କ୍ୟାମେରା ଯାଞ୍ଚ କରିବା ସମୟରେ ଜଙ୍ଗଲରେ ଅନେକ ବନ୍ୟପ୍ରାଣୀ ରହିଥିବା ନଜରକୁ ଆସିଛି । ଏଭିତରେ ଅଛନ୍ତି ସିଡ୍ୟୁଲ – ୧ ପ୍ରଜାତିର ଗୟଳ , ଗଧିଆ , ଚଉସିଙ୍ଗା , ଶାଳିଆପତନି , ନେଉଳ , ଶିଆଳ , କୋକିଶିଆଳ , ବଣୁଆ ବିଲେଇ , ଭାଲୁ , ହାତୀ , ଝିଙ୍କ , ହରିଣ , ଠେକୁଆ , ବାରହା , ବଣୁଆ ମାଙ୍କଡ , କୁଟୁରା , ଧୂଷର ନେଉଳ , ନେଉଳ , ଅଜଗର ସାପ । ଏନେଇ ଡିଏଫ୍ଓ ଧନରାଜ ଏଚ୍ ଡି ସୂଚନା ଦେଇଛନ୍ତି । ଏକ ଶିଆଳ କୁଟୁରା ଖାଉଥିବା ଦୃଶ୍ୟ ମଧ୍ୟ ଟ୍ରାପ କ୍ୟାମେରାରେ କଏଦ ହୋଇଛି ।
ଅଟେଇ ସଂରକ୍ଷିତ ଜଙ୍ଗଲରେ ବହୁ ବିରଳ ବନ୍ୟପ୍ରାଣୀ ରହୁଥିବାରୁ ଏହାର ସୁରକ୍ଷା ଜରୁରୀ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ମହାବଳ ବାଘ ଠାବ କରାଯିବା ପରେ ବନ ବିଭାଗ ଜଙ୍ଗଲର ୪ଟି ସ୍ଥାନରେ ଗେଟ ଏବଂ ବାଡ ଦେଇ ଯାତାୟତ ବନ୍ଦ କରିଛି । ଜଙ୍ଗଲରେ ପ୍ରବେଶ କଲେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍ ଓ ସୂଚନା ଦେଇଛନ୍ତି ।