ଶିଆଳି ଲଟାରେ ତିଆରି ରଥ ଦଉଡି, ଟଣାହେବ କେନ୍ଦୁଝରର ସର୍ବବୃହତ୍ତ ନନ୍ଦିଘୋଷ ରଥ

Published By : Prameya-News7 Bureau | June 27, 2022 IST

କେନ୍ଦୁଝର ୨୭।୬: ଆଉ ଦିନ କେଇଟା ପରେ ରଥଯାତ୍ରା । କେନ୍ଦୁଝରର ପ୍ରସିଦ୍ଧ ଏହି ରଥଯାତ୍ରାର ବିଶେଷତ୍ବ ହେଲା ଏଠାରେ ଗୋଟିଏ ରଥ ତିଆରି ହୁଏ । ନାଁ ତାର ନନ୍ଦିଘୋଷ ଏବଂ ଏହା ବିଶ୍ବର ସର୍ବବୃହତ୍ତ ରଥ । ଏହି ନନ୍ଦିଘୋଷରେ ବିଜେ କରି ଘୋଷଯାତ୍ରାରେ ବାହାରିବେ ମହାପ୍ରଭୁ । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ଏହି ରଥର ରହିଛି ନିଆରା ପରମ୍ପରା । ଜଙ୍ଗଲୀ ଶିଆଳି ଲଟା ଛେଲିରେ ତିଆରି ଦଉଡିରେ ଟଣା ହେବ ରଥ । ପ୍ରାୟ ୬ଶହ ବର୍ଷ ପୂର୍ବରୁ ରହିଆସିଛି ଏହି ପରମ୍ପରା ।

କେନ୍ଦୁଝର ନନ୍ଦିଘୋଷର ଏହି ଶିଆଳି ଲଟାର ରଥ ଦଉଡି ପ୍ରସ୍ତୁତ ହୁଏ ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଦଅଁଳା ଗାଁରେ । ଏଠି ଅଧିକାଂଶ ପରିବାର ଭୂୟାଁ ସଂପ୍ରଦାୟର । ରଥଯାତ୍ରା ସମୟ ଆସିଲେ ଛୋଟଠୁ ବଡ ସମସ୍ତେ ଲାଗିପଡନ୍ତି ରଥ ଦଉଡି ତିଆରିରେ । ଦେବସ୍ନାନ ପୂର୍ଣ୍ଣମୀରୁ ଅନୁକୂଳ ପରେ ଜଙ୍ଗଲରୁ ଶିଆଳି ଲଟାକୁ କାଟି ଆଣି ସେଥିରୁ ବକଳ ବାହାର କରାଯାଏ । ଏହି ବକଳକୁ ମୋଡି ମୋଡି ଦଉଡି ତିଆରି କରିଥାନ୍ତି ଏହି ଭୂୟାଁ ସମ୍ପ୍ରଦାୟ । ଏହି ଦଉଡିର ଲମ୍ବ ୪୦ ହାତ, ମୋଟେଇ ୬ ଇଞ୍ଚ । ଚଳିତ ବର୍ଷର ଦଉଡି ତିଆରି କରି ରଥ ନିକଟରେ ପହଞ୍ଚା ଯାଇସାରିଛି ।

ଏହି ନିଆରା ଦଉଡିର ରହିଛି ଅନେକ ବୈଶିଷ୍ଟ । ଲୋକ ଶ୍ରୁତି ଓ ଗବେଷକଙ୍କ ମତରେ ଏହି ଦଉଡି ରଥରେ ଲାଗିଲା ପରେ ଦେବତା ପାଲଟିଯାଆନ୍ତି । ଏହି ଦଉଡି ୩ଟି ସର୍ପଙ୍କ ନାମରେ ନାମିତ । ଦଉଡିକୁ ଛୁଇଁଲେ ଜନ୍ମ ଜନ୍ମର ପାପ ନାସ ହେବାର ବିଶ୍ବାସ ରହିଛି । ଏହି ଦଉଡିକୁ ନେଇ ଘରେ ରଖିଲେ ଅନେକ ଶୁଭ ଫଳ ମିଳିବାର ବିଶ୍ଵାସ ବି ରହିଛି ।

କେନ୍ଦୁଝରର ନନ୍ଦିଘୋଷ, ବୃହତ୍ତମ ରଥ ଓ ଏହାର ଭିନ୍ନ ପରିଚୟ ହେଉଛି ଶିଆଳି ଲଟାର ରଥ ଦଉଡି । ଏହାସହ ବନାଞ୍ଚଳର ସମ୍ପର୍କ । ଏମିତିରେ ତ ଜଗନ୍ନାଥ ଦାରୁବ୍ରହ୍ମ । ଏହି ଦାରୁବ୍ରହ୍ମଙ୍କ ସହ ଶିଆଳି ଲଟାର ସମ୍ପର୍କର ପ୍ରମାଣ ଦିଏ କେନ୍ଦୁଝର ରଥ ଦଉଡି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.