ଜଙ୍ଗଲରେ ପରିଣତ ହେଲାଣି କେନ୍ଦ୍ରାପଡା ପୌରାଞ୍ଚଳର ଅନେକ ପାର୍କ, ଚୋରି ହୋଇଗଲାଣି ବ୍ୟାୟାମ ସାମଗ୍ରୀ

Published By : Prameya-News7 Bureau | August 24, 2021 IST

କେନ୍ଦ୍ରାପଡା, ୨୪|୦୮:  କେନ୍ଦ୍ରାପଡା ପୌରାଞ୍ଚଳରେ ନିର୍ମିତ ପାର୍କ ଏବେ ଜଙ୍ଗଲରେ ପରିଣତ ହୋଇଛି। ଲକ୍‌ ଡାଉନରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କ୍ରୀଡା ସାମଗ୍ରୀ। ପାର୍କ ଭିତରେ ଥିବା ବିଭିନ୍ନ କିସମର ଗଛ ସବୁ ଯତ୍ନ ଅଭାବରୁ ମରି ଗଲାଣି। ଅନ୍ୟପକ୍ଷରେ ପାର୍କରେ ଥିବା ବ୍ୟାୟାମ ସାମଗ୍ରୀ ଚୋରି ହେବାରେ ଲାଗିଛି। 

ଘାସ ଓ ଜଙ୍ଗଲୀ ଗଛରେ ଭର୍ତ୍ତି ହୋଇଛି ପାର୍କ। ନଷ୍ଟ ହେଉଛି ଅତ୍ୟାଧୁନିକ ପାର୍କର ଭିତ୍ତିଭୂମି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ସବୁ ପାର୍କ ରହିଛି କେନ୍ଦ୍ରାପଡା ପୌରାଞ୍ଚଳ ଅଧିନରେ। ତେବେ ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅଭାବରୁ ପାର୍କଗୁଡିକ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। କେନ୍ଦ୍ରାପଡା ସହର ସ୍ଥିତ ଗୋପଠାରେ ଥିବା ତୁଳସୀ ପାର୍କ  ୨୦୧୯ ମସିହା ଡିସେମ୍ବର ଶେଷ ସପ୍ତାହରେ ଲୋକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। କିନ୍ତୁ ଖୋଲିବାର ମାସ କେଇଟା ପରେ ପାର୍କ ଫାଟକରେ ତାଲା ପଡିଛି। ଏଠାରେ ଥିବା ମୁକ୍ତାକାଶ ମଲ୍ଟି ଜିମ୍‌ ଏବଂ ଅନ୍ୟାନ୍ୟ କ୍ରୀଡା ସାମଗ୍ରୀ ବ୍ୟବହାର ନହୋଇ ନଷ୍ଟ ହୋବକୁ ବସିଲାଣି। ସେହିପରି ୨୦୧୯ ଅଗଷ୍ଟରେ ନିର୍ମିତ 'ସେନସୋରୀ ପାର୍କ ମଧ୍ୟ ବ୍ୟବହାର ନହୋଇ ପଡି ରହିଛି। ଫଳରେ ଏଠାରେ ବ୍ୟୟ ହୋଇଥିବା ଲକ୍ଷାଧିକ ଟଙ୍କା ପାଣିରେ ପଡି ଯାଇଛି କହିଲେ ଅତ୍ୟୁକ୍ତି ହେବନି।

ଇଛାପୁରସ୍ଥିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ନିକଟରେ ରହିଛି 'ବଳଦେବଜୀଉ ପାର୍କ'। ଏହା ଏକ ଅତ୍ୟାଧୁନିକ ପାର୍କ। ଏଠାରେ ପିଲାମାନଙ୍କ ପାଇଁ କ୍ରୀଡା ସାମଗ୍ରୀ ଏବଂ ବ୍ୟାୟାମ ଉପରକରଣ ରହିଛି। କିନ୍ତୁ ପାର୍କର ରକ୍ଷଣାବେକ୍ଷଣ ଦିଗରେ ବିଫଳ ହୋଇଛି କେନ୍ଦ୍ରାପଡା ପୌରସଂସ୍ଥା। ଫଳରେ ପାର୍କଟି ନଷ୍ଟ ହୋଇଯିବାକୁ ବସିଛି। ତେବେ ପାର୍କ ଦୂରାବସ୍ଥା ପଛରେ କାରଣ କରୋନା ବୋଲି ଦର୍ଶ।ଉଛି ପୌରସଂସ୍ଥା କର୍ତୃପକ୍ଷ। ଜିଲ୍ଲା ପ୍ରଶାସନ କହୁଛି ବର୍ଷା ଋତୁ ପାଇଁ ପରିସ୍ଥିତି ଏପରି ହୋଇ ଯାଇଛି। କରୋନା କଟକଣା ଭିତରେ ପାର୍କର ରକ୍ଷଣା ବେକ୍ଷଣ କରିବା ପାଇଁ କିଛି ବାରଣ ଅଛିକି? ଏହି ପ୍ରଶ୍ନ ଏବେ ସାଧାରଣରେ ମୁଣ୍ଡ ଟେକିବାରେ ଲାଗିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.