ସାମାନ୍ୟ କଥାରୁ ବଚସା; ଯୁବକଙ୍କୁ ଅପହରଣ ପରେ ନିସ୍ତୁକ ପିଟିଲେ ଦୁର୍ବୃତ୍ତ
10/12/2022 at 5:53 PM

କେନ୍ଦ୍ରାପଡ଼ା ୧୦/୧୨: ପରସ୍ପରର ବାଇକ୍ ଧକ୍କାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା। ବଚସାରୁ ଅପହରଣ l ପୁଣି ଅପହୃତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଲେ ଅପହରଣକାରୀl ଏହି ଘଟଣା କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଜୟଚନ୍ଦ୍ରପୁର ଗାଁରେ ହୋଇଛି। ଖବର ଅନୁସାରେ, ଜୟଚନ୍ଦ୍ରପୁର ଗାଁର ମାନସ ମଲ୍ଲିକ ଶୁକ୍ରବାର ବଜାରକୁ ଯିବାବେଳେ ଅନ୍ୟ ଜଣେ ଯୁବକଙ୍କ ବାଇକ୍ରେ ତାଙ୍କ ବାଇକ୍ ବାଜିଥିଲାl ଏହାକୁ ନେଇ ବଜାରରେ ତାଙ୍କ ଭିତରେ ସାମାନ୍ୟ ବଚସା ହୋଇଥିଲା। ତେବେ ସନ୍ଧ୍ୟାରେ ମାନସ ଘରେ ଥିବା ବେଳେ କିଛି ଦୁର୍ବୃତ୍ତ ଆସି କବାଟ ବାଡ଼େଇ ଥିଲେ। ମାନସ ଓ ତାଙ୍କ ସ୍ତ୍ରୀ କବାଟ ଖୋଲିବାରୁ ଉଭୟଙ୍କୁ ସେମାନେ ଆକ୍ରମଣ କରିବା ସହ ବୋଲରୋ ଗାଡ଼ିରେ ମାନସଙ୍କୁ ନେଇଯାଇଥିଲେ।
ଏ ନେଇ ତାଙ୍କ ସ୍ତ୍ରୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ମାନସଙ୍କୁ ତାଙ୍କ ବାପା ଓ ଭାଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ତେବେ ଆଜି ସକାଳୁ ବଜାରକୁ ଆସିବା ବେଳେ ପରିବାର ଲୋକେ ମାନସଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ମାର୍ଶାଘାଇ ଡାକ୍ତଖାନା ନେଇଥିଲେ ଓ ପରେ ତାଙ୍କୁ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାନସଙ୍କୁ ଦୃର୍ବୃତ୍ତମାନେ ନିସ୍ତୁକ ପିଟିଛନ୍ତି। ଫଳରେ ତାଙ୍କ କାନ ଫାଟିବା ଓ ବେକରେ ଗଭିର କ୍ଷତ ରହିଛି। ଅନ୍ୟପଟେ ସମ୍ପୃକ୍ତ ପରିବାର ଅଭିଯୁକ୍ତମାନଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି।