ରୋହିଙ୍ଗାଙ୍କୁ ମାଗଣା ଘର ଦେବାକୁ ଚାହୁଁଥିଲେ କେଜରିୱାଲ; ଚିଠି ଦେଖାଇ ଏମିତି କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
18/08/2022 at 6:36 PM

ନୂଆଦିଲ୍ଲୀ ୧୮/୦୮: ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କର ଆବାସ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଓ କେନ୍ଦ୍ରସରକାର ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ଫଳରେ ଏହି ପ୍ରସଙ୍ଗ ଏବେ ଅଧିକ ଜଟିଳ ହେଉଥିବା ଦେଖାଯାଇଛି। ଏବେ କେନ୍ଦ୍ର ସୂଚନ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କେଜରିୱାଲ ସରକାର ରୋହିଙ୍ଗ୍ୟାମାନଙ୍କୁ ମାଗଣାରେ ଘର (ଫ୍ଲାଟ୍) ଦେବାକୁ ଚାହୁଁଥିଲେ। ଆପ୍ ସରକାର ମିଛ କହୁଛନ୍ତି ବୋଲି ପ୍ରଶ୍ନ କରି କହିଛନ୍ତି ଯେ ରୋହିଙ୍ଗାଙ୍କୁ ଏତେ ସହାନୁଭୂତି କାହିଁକି। ରୋହିଙ୍ଗ୍ୟା ଅନୁପ୍ରବେଶ କାରୀମାନଙ୍କ ପାଇଁ ଏତେ ଦୟା କାହିଁକି।
ଅନୁରାଗ ଠାକୁର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖରେ କୌଣସି ବିଭାଗ ନାହିଁ। କିନ୍ତୁ ରୋହିଙ୍ଗାମାନଙ୍କୁ ସମସ୍ତ ସୁବିଧା ଦେବାପାଇଁ କାମ କରୁଛନ୍ତି। କେଜରିୱାଲ ସରକାର କାହିଁକି ତାଙ୍କ ଅଧିକାରୀମାନଙ୍କ ସହିତ ମିଶି ଇଡବ୍ଲୁଏସର ଫ୍ଲାଟ୍ ଦେବା କଥା କହିଛନ୍ତି। ଯେତେବେଳେ ତାଙ୍କୁ ଅବକାରୀ ନୀତି ବିଷୟରେ ପଚାରିଲେ ଜବାବ ଦେଉନାହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିଷୟରେ ମଧ୍ୟ ଉତ୍ତର ଦେଉନାହାନ୍ତି। ମାଗଣା ବାଣ୍ଟିବାକୁ ମଧ୍ୟ ପଛାଉନାହାନ୍ତି। ଏବେ ରୋହିଙ୍ଗମାନଙ୍କୁ ମାଗଣା ଘର ଦେବା ପାଇଁ ମଧ୍ୟ ଯାଉଥିଲେ। ଏପରି ଭାବେ ଭୋଟ୍ ବ୍ୟାଙ୍କ୍ ରାଜନୀତି ପାଇଁ ସେମାନେ ରାଷ୍ଟ୍ରୀୟ ସୁରକ୍ଷା ସହିତ ମଧ୍ୟ ସାଲିସ କରିବା ପାଇଁ ପଛାଉନାହାନ୍ତି।
ଅନୁରାଗ ଠାକୁର ଏକ ଚିଠି ଦେଖାଇ ପ୍ରଶ୍ନ କହିଛନ୍ତି ଏ ସମସ୍ତ ଜିନିଷ କାହାକୁ ଅନୁମାତିରେ କରାଯାଇଛି। ସେମାନେ ମିଥ୍ୟା ଅଭିଯୋଗ ଆଣି ଖସିଯିବାକୁ ଉଦ୍ୟମ କରୁଛନ୍ତି। ପ୍ରକୃତ ସତ୍ୟ କାଗଜ (ଦସ୍ତାବିଜ୍) କହୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେକି? କେନ୍ଦ୍ରମନ୍ତ୍ରୀ ଅନୁରାଗ ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ନାଁ ନେଇ ପ୍ରଶ୍ନ କରିଛନ୍ତି ସେ ନିଜକୁ ନିଜେ ରୋହିଙ୍ଗା ମୁସଲିମ୍ମାନଙ୍କୁ ରାସନ୍ ବାଣ୍ଟୁଛନ୍ତି ନା ଦିଲ୍ଲୀ ମୁଖ୍ୟନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏପରି କରୁଛନ୍ତି। ସେ ରୋହିଙ୍ଗାମାନଙ୍କୁ ଏଠାରେ ସ୍ଥାୟୀ ବସବାସ କରାଇବା ପାଇଁ ବ୍ୟବସ୍ଥା କରାଉଛନ୍ତି।