ଦିଲ୍ଲୀରେ କେଜ୍ରିୱାଲ ସରକାର : ଲଗାତର ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ
16/02/2020 at 12:28 PM

ନୂଆଦିଲ୍ଲୀ ୧୬।୦୨: କେଜ୍ରିଓ୍ବାଲ ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ଉପ ରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ୬ ଜଣ ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ଗତ ସରକାରରେ ମନ୍ତ୍ରୀ ଥିବା ସମସ୍ତଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଶ୍ରୀ କେଜ୍ରିୱାଲ ସାମିଲ କରିଛନ୍ତି।
ମନୀଷ ସିଶୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, ରାଜେନ୍ଦ୍ର ପାଲ ଗୌତମ, ଇମ୍ରାନ ହୁସେନ ଏବଂ କୈଳାସ ଗେହଲଟ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାମଲୀଲା ମୈଦାନରେ ବିଶାଳ ଜନସମାବେଶରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ପରେ ସେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସମଗ୍ର ଦିଲ୍ଲୀ ତାଙ୍କର ପରିବାର ବୋଲି କହିଛନ୍ତି । ତେବେ ୨୦୧୩ରେ ପ୍ରଥମ ଥର ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ କେଜ୍ରିୱାଲ । ଦ୍ୱିତୀୟଥର ପାଇଁ ୨୦୧୫ରେ ପୂର୍ଣ୍ଣ ବହୁମତରେ ଆପ ସରକାର ଗଠନ କରିଥିଲା । ଚଳିତ ନିର୍ବାଚନରେ ପୁଣି ଆମ୍ ଆଦ୍ମୀ ପାର୍ଟି ମୋଟ୍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି ।