କେଜ୍ରିୱାଲଙ୍କ ତୃତୀୟ ଇନିଂସ ପାଇଁ ଦିଲ୍ଲୀ ଭୋଟର ଦେଲେ ରାୟ, ବିଜେପିକୁ ଝଟକା …ଆପ୍ ନେତାଙ୍କୁ ଖାଲି ପ୍ରଶଂସା ଆଉ ପ୍ରଶଂସା
11/02/2020 at 2:52 PM

ନୂଆଦିଲ୍ଲୀ ୧୧/୦୨ – ଦିଲ୍ଲୀରେ ପୁଣିଥରେ ସରକାର ଗଢିବ ଆମ ଆଦମୀ ପାର୍ଟି । ଅରବିନ୍ଦ କେଜରିୱାଲ ହେବେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରୁ ଆପ୍ କୁ ଦିଲ୍ଲୀରେ ବେଶ୍ ଆରାମ ଦାୟକ ବହୁମତ ମିଳିବା ସମ୍ଭାବନା ସ୍ପଷ୍ଟ । ତେବେ ୨୦୧୫ ତୁଳନାରେ ବିଜେପି ଆଉ କିଛି ଅଧିକ ଆସନ ପାଇବ । ସେପଟେ କଂଗ୍ରେସ ପୁଣି ଥରେ ତାର ଖାତା ଖୋଲିପାରିବ ନାହିଁ ବୋଲି ମନେ ହେଉଛି । ଅପରାହ୍ନ ସାଢେ ଦୁଇଟି ସୁଦ୍ଧା ଦିଲ୍ଲୀରେ ଆମ ଆଦମିପାର୍ଟି ୬୨ ଆସନରେ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ମାନେ ୮ ଟି ଆସନରେ ଆଗୁଆ ଅଛନ୍ତି ।ଏପଟେ ଆମ ଆଦମି ପାର୍ଟି ନେତା ଅରବିନ୍ଦ କେଜରିୱାଲ ତାଙ୍କ ଦଳର ବିଜୟ ଉତ୍ସବ ପାଳନରେ ସାମିଲ ହୋଇଥିବା ବେଳେ ଦିଲ୍ଲୀ ଆପ କାର୍ଯ୍ୟାଳୟରେ ପୁରା ଉତ୍ସବର ମାହୋଲ ।ତା ସହ ବିଭିନ୍ନ ଦଳର ରାଜନେତା , ବହୁ ହେଭିୱେଟ କେଜରିୱାଲହ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରିଛନ୍ତି ।

କେଜ୍ରିୱାଲ ବହୁ ଭୋଟରେ ଆଗୁଆ ଥିବା ବେଳେ , କିଛି ରାଉଣ୍ଡରେ ପଛରେ ଚାଲିଥିବା ନମ୍ବର ଟୁ ଆପ ନେତା ମନୀଷ ସିସୋଦିଆ ଶେଷରେ ବିଜୟୀ ହୋଇଛନ୍ତି । ୨୦୧୫ ରେ ୬୭ ଆସନ ଜିତିଥିବା ଆପ୍ ଚଳିତ ଥର ସେହି ସଂଖ୍ୟାରେ ପହଞ୍ଚିବା ସମ୍ଭବ ଲାଗୁ ନଥିଲେ ବି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ତା ହାସଲ କରିବା ନିଶ୍ଚିତ ।ଦଳ ତାର ଜନହିତକର କାର୍ଯ୍ୟ ଲାଗି ପୁଣି ଦିଲ୍ଲୀ ଭୋଟରଙ୍କ ଆସ୍ଥା ଜିତିଥିବା ଦାବି କରୁଛି, ନିର୍ବାଚନ ପୂର୍ବରୁ ବି ସେପରି ଦାବି ରଖିଥିଲେ କେଜରିୱାଲ-ଶିଷୋଦିଆ ଟିମ୍ ।

ଆପ୍ର ବିଜୟରେ ଜୋରଦାର ପ୍ରଶଂସା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । ସେ କେଜ୍ରିୱାଲଙ୍କୁ ଅଭିନନ୍ଦନ ଜଣାଇବା ସହ ଦିଲ୍ଲୀ ଜନତା ବିଜେପିକୁ ପ୍ରତ୍ୟାଖ୍ୟାନ କରିବା ସହ ସିଏଏ, ଏନଆରସି ବିରୋଧରେ ମତ ଦେଇଥିବା କହିଛନ୍ତି । ପୋଲ ଷ୍ଟାର୍ଟେଜିଷ୍ଟ ପ୍ରଶାନ୍ତ କିଶୋର ଦିଲ୍ଲୀ ଭୋଟରଙ୍କୁ ସାଦୁବାଦ ଜଣାଇଥିବା ବେଳେ, ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂ ଯାଦବ ଏବଂ ବହୁ ଅଣ ବିଜେପି ନେତା ଆପ୍ ସୁପ୍ରିମୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।